Breaking News
ଅପରାଧ

ଆଖିବୁଜିଲେ ଅର୍ଦ୍ଧଦଗ୍ଧ କନେଷ୍ଟବଳ ଆଶୁତୋଷ

ଆଖିବୁଜିଲେ ଅର୍ଦ୍ଧଦଗ୍ଧ କନେଷ୍ଟବଳ ଆଶୁତୋଷ

ବ୍ରହ୍ମପୁର:  ସନ୍ଦେହଜନକ ଭାବେ ପୋଡ଼ିଯାଇଥିବା କନେଷ୍ଟବଳ ଆଶୁତୋଷ ମୃଦଙ୍ଗିୟା ଆଜି (ଶୁକ୍ରବାର) ଆଖି ବୁଜିଛନ୍ତି। ଏମ୍‌ସ ବର୍ଣ୍ଣ କେୟାର ୱାର୍ଡରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଶରୀରର ୮୦ ଭାଗରୁ ଅଧିକ ପୋଡ଼ି ଯାଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରହ୍ମପୁର ଓ ପରେ ଏମ୍‌ସ ନିଆଯାଇଥିଲା। ଗତ ୫ ତାରିଖ ସନ୍ଧ୍ୟାରେ ବିଜିପୁର ପୁଲିସ କ୍ବାର୍ଟର୍ସରେ ରହୁଥିବା ପତ୍ନୀଙ୍କ ଘର ସାମନାରେ ସେ ପୋଡ଼ି ଯାଇଥିଲେ। ଆରମ୍ଭରୁ ଏହା ଆତ୍ମାହୁତି ବୋଲି କୁହାଯାଉଥିଲେ ବି ପରେ ପତ୍ନୀ ଓ ଶାଳକଙ୍କ ନାଁରେ ହତ୍ୟା ଉଦ୍ୟମ ଅଭିଯୋଗ ହୋଇଥିଲା। ତେଣୁ ପୁଲିସ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଏମ୍‌କେସିଜିରେ ମାଜିଷ୍ଟ୍ରେଟ୍‌, ଡାକ୍ତର ଓ ପୁଲିସ ଉପସ୍ଥିତିରେ ଗୁରୁତର କନେଷ୍ଟେବଳଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ନିଆଯାଇଥିଲା। ପତ୍ନୀ ଓ ଶାଳକଙ୍କ ନାଁ ନେଇ ସେ ହତ୍ୟା ଉଦ୍ୟମ କରିଥିବା କହିଥିବା ବି ରେକର୍ଡ କରାଯାଇଥିଲା।ଗୁରୁତର ହେବାରୁ ରାତାରାତି ତାଙ୍କୁ ଭୁବନେଶ୍ୱର ଏମ୍‌ସ ସ୍ଥାନାନ୍ତର କରାଯାଇଥିଲା। ଆଜି ପୂର୍ବାହ୍ଣରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଥାନାରେ ରୁଜୁ ହୋଇଥିବା ହତ୍ୟା ଉଦ୍ୟମ ମାମଲା ଏବେ ହତ୍ୟା ମାମଲାରେ ରୂପାନ୍ତରିତ ହେବ ବୋଲି ଏସ୍‌ପି ଡା. ଶରବଣା ବିବେକ ଏମ୍‌ କହିଛନ୍ତି। ପତ୍ନୀ ସନ୍ଧ୍ୟା ନାୟକ ଓ ଶାଳକଙ୍କ ନାମରେ ୨୪୭/୨୬ରେ ଏକ ମାମଲା ରୁଜୁ ହୋଇଛି। ଉଭୟଙ୍କୁ ଥାନାକୁ ଡାକି ପୁଲିସ ସେମାନଙ୍କ ବୟାନ ରେକର୍ଡ କରିଛି। ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରୁ ଦରପୋଡ଼ା ପ୍ଲାଷ୍ଟିକ ବୋତଲ, ଦିଆସିଲି ଖୋଳ, ଆଶୁତୋଷଙ୍କ ମୋବାଇଲ ଓ ବାଇକ ଜବତ କରିଛି। ଘଟଣାର ସମସ୍ତ ପାରିପାର୍ଶ୍ବିକ ଦିଗକୁ ନେଇ ତଦନ୍ତ ଜାରି ରହିଛି। ଉଭୟ ସନ୍ଧ୍ୟା ଓ ତାଙ୍କ ଭାଇଙ୍କ ବୟାନର ସତ୍ୟତା ଜାଣିବା ପାଇଁ ସେମାନଙ୍କର ମିଛଧରା (ପଲିଗ୍ରାଫ୍‌) ପରୀକ୍ଷା ହେବ ବୋଲି ଏସ୍‌ପି କହିଛନ୍ତି। ଏହି ମାମଲାର ତଦନ୍ତ ପାଇଁ ପୁଲିସ ମୁଖ୍ୟାଳୟ ଡିଏସ୍‌ପି ବିଶ୍ୱରଂଜନ ଦାଶଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି।

Related Post