Breaking News
ରାଜ୍ୟ

ରବି ଧାନ ସଂଗ୍ରହରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗରେ ଚାଷୀଙ୍କ ରାସ୍ତାରୋକ

ରବି ଧାନ ସଂଗ୍ରହରେ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗରେ ଚାଷୀଙ୍କ ରାସ୍ତାରୋକ

କୋକସରା: ପୁଣି ରାଜରାସ୍ତାରେ ଅନ୍ନଦାତା। କଳାହାଣ୍ଡିଜିଲ୍ଲା କଲମପୁର ବ୍ଲକର କୁଟ୍ରୁ ଛକରେ ଚାଷୀଙ୍କ ଜୋରଦାର ରାସ୍ତାରୋକ। ରବି ଧାନ ସଂଗ୍ରହରେ ବ୍ୟାପକ ଅବ୍ୟବସ୍ଥା ଏବଂ ମିଲରଙ୍କ ମନମୁଖୀ କଟନୀ ପ୍ରତିବାଦରେ କୁଟ୍ରୁ ପାକ୍ସର ଶତାଧିକ ଚାଷୀ ଜୟପାଟଣା-ମୋଟେର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ଯାହାଫଳରେ ଯାତାୟାତ ଏବେ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାରେ ରବି ଧାନ କିଣାରେ ଦେଖାଦେଇଥିବା ଚରମ ମଣ୍ଡି ଅବ୍ୟବସ୍ଥା ଏବେ ଚାଷୀଙ୍କୁ ଆନ୍ଦୋଳନ ପାଇଁ ବାଧ୍ୟ କରିଛି। କୁଟ୍ରୁ ପାକ୍ସରେ ଧାନ କ୍ରୟ ପ୍ରକ୍ରିୟା ଏବେ ସମ୍ପୂର୍ଣ୍ଣ ସ୍ଥାଣୁ ପାଲଟିଯାଇଛି। ଚାଷୀଙ୍କ ପାଖରେ ସରକାରୀ ଟୋକନ ଥାଇ ମଧ୍ୟ ମଣ୍ଡିରୁ ଧାନ ଉଠୁନାହିଁ। ଅନ୍ୟପଟେ ମିଲରମାନେ ସରକାରୀ ନିୟମକୁ ବେଖାତିର କରି ନିଜ ଇଚ୍ଛା ମୁତାବକ କଟନୀ ଫିକ୍ସ କରୁଥିବା ନେଇ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଚାଷୀ। ​ଦୀର୍ଘ ଦିନ ଧରି ମଣ୍ଡି ଖୋଲା ଆକାଶ ତଳେ କଷ୍ଟ ଉପାର୍ଜିତ ରବି ଧାନ ପଡ଼ିରହିବା ଫଳରେ, ବିକ୍ରି ନହୋଇ ଏହା ନଷ୍ଟ ହେବାକୁ ବସିଲାଣି। ଏଭଳି ସ୍ଥିତିରେ ଚାଷୀ ଏବେ ଋଣ ବୋଝ ଏବଂ ଗୁରୁତର ଆର୍ଥିକ ସମସ୍ୟାରେ ଜର୍ଜରିତ ହୋଇପଡ଼ିଛନ୍ତି। ପ୍ରଶାସନକୁ ବାରମ୍ବାର ଗୁହାରି କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଶେଷରେ ପ୍ରଶାସନର ଏହି ଚରମ ନିଷ୍କ୍ରିୟତା ଏବଂ ମିଲର-ଅଧିକାରୀଙ୍କ ମଧୁଚନ୍ଦ୍ରିକା ବିରୋଧରେ ଅନ୍ନଦାତା ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି। ଚାଷୀଙ୍କ ସ୍ପଷ୍ଟ ଚେତାବନୀ, ଯେପର୍ଯ୍ୟନ୍ତ କଟନୀ ବନ୍ଦ ହୋଇନାହିଁ ଏବଂ ସମସ୍ତ ଧାନ ସୁରୁଖୁରୁରେ ନଉଠିଛି, ସେପର୍ଯ୍ୟନ୍ତ ଏହି ଚକାଜାମ୍ ଆନ୍ଦୋଳନ ଜାରି ରହିବ।

Related Post