Breaking News
ରାଜ୍ୟ

ଟିକିବା କନ୍ଧପଡ଼ାରେ ‘ବିଶ୍ୱାସର ଧାନବ୍ୟାଙ୍କ’: ଗାଁ’କୁ ଭୋକ ଓ ଦାଦନ ସମସ୍ୟାରୁ ମୁକ୍ତି ଦେଇଛି

ଟିକିବା କନ୍ଧପଡ଼ାରେ ‘ବିଶ୍ୱାସର ଧାନବ୍ୟାଙ୍କ’: ଗାଁ’କୁ ଭୋକ ଓ ଦାଦନ ସମସ୍ୟାରୁ ମୁକ୍ତି ଦେଇଛି

ଜମନକିରା: ସମ୍ୱଲପୁର ଜିଲ୍ଲା ଜମନକିରା ବ୍ଲକ୍ ଟିକିବା କନ୍ଧପଡ଼ା ଗାଁରେ ରହୁଛନ୍ତି ୪୦ଟି ଆଦିବାସୀ ପରିବାର। ବହୁ ବର୍ଷ ଧରି ଏହି ଗାଁରେ ଏକ ନିଆରା ଧାନବ୍ୟାଙ୍କ ଚାଲିଛି। ଏଠାରେ ଟଙ୍କା ନୁହେଁ, ଧାନ ହିଁ ସମ୍ପଦ। ଫସଲ ସମୟରେ ପ୍ରତ୍ୟେକ ପରିବାର ନିଜ ଅମଳରୁ କିଛି ଧାନ ଏହି ବ୍ୟାଙ୍କରେ ଜମା କରନ୍ତି। ଆଉ ଯେତେବେଳେ କୌଣସି ପରିବାରର ଅଭାବ ଅନଟନ ହୁଏ କିମ୍ବା ହଠାତ୍ ଧାନ କି ଚାଉଳର ଆବଶ୍ୟକତା ପଡ଼େ, ସେମାନେ ଏଠାରୁ ଧାର ସୂତ୍ରରେ ଧାନ ନିଅନ୍ତି। ଯେତିକି ନେବେ, ତା’ଠାରୁ କିଛି ଧାନ ଅଧିକ ଦେଇ ଠିକ୍ ସମୟରେ ଫେରସ୍ତ କରିବାକୁ ହେବ। ଏହି ଅତିରିକ୍ତ ଧାନ ହିଁ ବ୍ୟାଙ୍କର ପୁଞ୍ଜି ବଢ଼ାଏ ଓ ଆଗାମୀ ଦିନରେ ଆଉ କାହାକୁ ସାହାଯ୍ୟ କରିବା କାମରେ ଆସେ। ଏହି ଧାନବ୍ୟାଙ୍କର ସୁପରିଚାଳନା ପାଇଁ ଗାଁର ଯୁବକମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। କାହାର ଅସୁବିଧା ହେଲେ ସେ ସିଧା କମିଟି ନିକଟକୁ ଜଣାନ୍ତି। କମିଟି ଆଲୋଚନା କରି ଆବଶ୍ୟକ ଅନୁଯାୟୀ ଧାନ ଦିଏ। କେହି କେବେ ହିସାବ (ଓଜନ)ରେ ଠକେଇ କରନ୍ତି ନାହିଁ। ଗାଁର ଜଣେ ବୟସ୍କ ବ୍ୟକ୍ତି ଶ୍ୟାମସୁନ୍ଦର ବେହେରା କହିଛନ୍ତି, ‘ଏହା କେବଳ ଧାନ କାରବାର ନୁହେଁ, ଏହା ଆମ ଭାଇଚାରାର ବ୍ୟାଙ୍କ। ଯେତେବେଳେ ଗୋଟିଏ ପରିବାରରେ ଅସୁବିଧା ହୁଏ, ପୂରା ଗାଁ ଛିଡ଼ା ହୋଇଯାଏ।’ ଆଜିର ଯୁଗରେ ଯେତେବେଳେ ସମ୍ପର୍କ ଭାଙ୍ଗୁଛି, ଟିକିବା କନ୍ଧପଡ଼ା ଗାଁର ଏହି ଧାନବ୍ୟାଙ୍କ ଦେଖାଉଛି ଯେ ବିଶ୍ୱାସ ଥିଲେ ଗାଁ ସମାଜ ନିଜେ ନିଜର ସୁରକ୍ଷା ବ୍ୟବସ୍ଥା କରିପାରେ। କନ୍ଧପଡ଼ା (ଟିକିବା) ଗାଁ ଏକଦା ଜମନକିରା ଅଞ୍ଚଳରେ ଭାଗବତ ଚର୍ଚ୍ଚା ପାଇଁ ପ୍ରସିଦ୍ଧ ଥିଲା। ସନ୍ଧ୍ୟା ହେଲେ ସ୍ୱର୍ଗତ ବାଣେଶ୍ୱର ଝାଙ୍କର ଓ ସାରଥି ଝାଙ୍କରଙ୍କ ମୃଦଙ୍ଗ, ତବଲା ମାଡ଼ରେ ଗାଁ ଦାଣ୍ଡ ପ୍ରକମ୍ପିତ ହେଉଥିଲା। କିନ୍ତୁ ଏହି ଆଧ୍ୟାତ୍ମିକ ସୁଅ ତଳେ ଚାପି ହୋଇ ରହିଥିଲା ଏକ କ୍ରୂର ସତ୍ୟ। ପ୍ରାୟ ୪୫ ବର୍ଷ ତଳର କଥା। ସେ ସମୟରେ ଟିକିବା ଗାଁରେ ଧନୀ ଗୌନ୍ତିଆଙ୍କ ଶାସନ ଚାଲିଥିଲା। ସେତେବେଳେ ମାତ୍ର ୧ ଟଙ୍କାରେ ୧୬ ପଉଟି (ଖଣ୍ଡି) ଧାନ ମିଳୁଥିଲା। କିନ୍ତୁ ଗରିବଙ୍କ ପାଇଁ ସେହି ଗୋଟିଏ ଟଙ୍କା ରୋଜଗାର କରିବା ମଧ୍ୟ ସ୍ୱପ୍ନ ଥିଲା।

Related Post