Breaking News
ରାଜ୍ୟ

କୂଳ ଖାଉଛି ବ୍ରାହ୍ମଣୀ ଜୀବନ ଜୀବିକା ଦୋଛକିରେ: ଲୀନ ହେବ ୬ ଗାଁ

କୂଳ ଖାଉଛି ବ୍ରାହ୍ମଣୀ ଜୀବନ ଜୀବିକା ଦୋଛକିରେ: ଲୀନ ହେବ ୬ ଗାଁ

କଣିହାଁ: ସମଲ ବ୍ୟାରେଜ୍‌ ଓ ରେଙ୍ଗାଳି ନଦୀବନ୍ଧ ଯୋଜନା ଦ୍ବାରା କ୍ଷତିଗ୍ରସ୍ତ ଅନୁଗୁଳଜିଲ୍ଲା କଣିହାଁ ବ୍ଲକ୍‌ର ୬ଟି ଗାଁର ଲୋକଙ୍କ ଦୁଃଖ କହିଲେ ନସରେ। ଲୋକେ ନଦୀକୂଳରେ ଅତି ଦୟନୀୟ ଭାବେ ଜୀବନଯାପନ କରୁଛନ୍ତି। ନଦୀକୂଳରେ ଥିବା ଶହ ଶହ ଏକର ଜମି ଜଳମଗ୍ନ ହୋଇଯାଉଛି। ଫଳରେ ସେମାନଙ୍କ ବର୍ଷକର ଆହାର ଉଜୁଡ଼ି ଯାଉଛି। ପ୍ରଶାସନ ଏବଂ ସ୍ଥାନୀୟ ରାଜନେତାଙ୍କୁ ଲୋକେ ବାରମ୍ବାର ଗୁହାରି କରୁଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉନି।  ନାଲମ, ତାଳପଦା, ଦୁର୍ଗାପୁର, ଗହମ, ଶିପୁର ଓ କୁସୁମପାଳ ଗାଁ ପାଇଁ ବିପଦ ସାଜିଛି ବ୍ରାହ୍ମଣୀ ନଦୀ।  ବିଗତ ଦିନରେ ଏହି ସବୁ ଗାଁର କିଛି ଲୋକଙ୍କ ଘର ଓ ଜମି  ବ୍ରାହ୍ମଣୀ ଗର୍ଭରେ ଲୀନ ହୋଇଥିବା ବେଳେ ଆଉ କେତେକ ଲୀନ ହେବାକୁ ବସିଛି। ପ୍ରତିବର୍ଷ ବର୍ଷାଋତୁରେ ବନ୍ୟା ଆସିବା ଦ୍ବାରା ବ୍ରାହ୍ମଣୀ ନଦୀର ଗତିପଥ ବଦଳିବା ଯୋଗୁଁ ଜନବସତି ପ୍ରତି ବିପଦ ଘନଉଛି। ଆଜିକୁ ୧୮ ବର୍ଷ ପୂର୍ବେ ଏହି ସବୁ ଗାଁଠାରୁ ଦୁଇ କିଲୋମିଟର ଦୂରରେ ଥିବା ବ୍ରାହ୍ମଣୀ ନଦୀ ଏବେ ଗାଁ ପାଖକୁ ମାଡ଼ି ଆସିଲାଣି। 

Related Post