Breaking News
ରାଜ୍ୟ

ପରିବେଶର ସୁରକ୍ଷା ଏବେ ସମୟର ଆହ୍ବାନ: ପ୍ରଦୀପ

ପରିବେଶର ସୁରକ୍ଷା ଏବେ ସମୟର ଆହ୍ବାନ: ପ୍ରଦୀପ

ସୁକିନ୍ଦା: ଜଳବାୟୁ ପରିବର୍ତ୍ତନ ଏବେ ସବୁଠୁ ବଡ଼ ଚିନ୍ତାର କାରଣ। ଏହାର ମୁକାବିଲା ପାଇଁ ଆମକୁ ପ୍ରଦୂଷଣ ମାତ୍ରା ହ୍ରାସ କରିବାକୁ ପଡ଼ିବ। ସ୍ବଚ୍ଛ ଶକ୍ତି ବ୍ୟବହାର କରିବା ସହ ଅଧିକ ଗଛ ଲଗାଇବାକୁ ପଡ଼ିବ। ସାମୂହିକ ଉଦ୍ୟମ ବଳରେ ଆମେ ଏକ ସବୁଜ ଓ ସୁରକ୍ଷିତ ଭବିଷ୍ୟତ ସୃଷ୍ଟି କରିପାରିବା। ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମ ଆମମାନଙ୍କୁ ଆଉ ଥରେ ଜୀବନ ପାଇବାକୁ ଏକ ସୁଯୋଗ ଆଣିଦେଇଛି। ଏ ଆହ୍ବାନକୁ ଆମେ ସମସ୍ତେ ଗ୍ରହଣ କରିବା ଉଚିତ ବୋଲି କହିଛନ୍ତି ରାଜ୍ୟ ସମବାୟ, ବୟନଶିଳ୍ପ ହସ୍ତତନ୍ତ ଓ ହସ୍ତଶିଳ୍ପ ମନ୍ତ୍ରୀ ତଥା ସୁକିନ୍ଦା ବିଧାୟକ ଡ. ପ୍ରଦୀପ ବଳସାମନ୍ତ। 
ବୁଧବାର ମଧ୍ୟାହ୍ନରେ ସୁକିନ୍ଦା ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତରେ ମୁଖ୍ୟଅତିଥି ଭାବେ ଯୋଗ‌ଦେଇ ଶ୍ରୀ ବଳସାମନ୍ତ କହିଥିଲେ, ପରିବେଶ ସୁରକ୍ଷା ଯୁଦ୍ଧରେ ଆମକୁ ଜଣେ ଜଣେ ସିପାହି ହେବାକୁ ପଡ଼ିବ। ଆମ ଜୀବନଶୈଳୀରେ ରୂପାନ୍ତର ଆଣିବାକୁ ହେବ। ବର୍ତ୍ତମାନ ତାପମାତ୍ରାରେ ଅହେତୁକ ବୃଦ୍ଧି, ହିମଖଣ୍ଡ ତରଳିବା, ଅନିୟମିତ ବର୍ଷା, ଭୟଙ୍କର ବନ୍ୟା, ବାତ୍ୟା, ମରୁଡ଼ି, ଭୂକମ୍ପ, ସୁନାମି ଆଦି ପ୍ରାକୃତିକ ବିପର୍ଯ୍ୟୟ ଆମକୁ ସୂଚେଇ ଦେଇଛି ଯେ ପ୍ରକୃତିମାତାର ସ୍ବାସ୍ଥ୍ୟ ଆଉ ଭଲନାହିଁ। ତେଣୁ ଯେଉଁ ମା’କୋଳରେ ଆମେ ଜନ୍ମ ହୋଇଛନ୍ତି, ଯାହାର ପାଣି ପବନରେ ବଢ଼ିଛନ୍ତି, ସେହି ଧରଣୀ ମାତାର ସୁରକ୍ଷା ଏବେ ସମୟର ଆହ୍ୱାନ। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ବଳସାମନ୍ତ ସୁକିନ୍ଦା ଅଞ୍ଚଳର ପରିବେଶ ପ୍ରଦୂଷଣ, ଭୂତଳ ଜଳହ୍ରାସ ଓ ପାନୀୟଜଳ ସଂକଟକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଥିଲେ। ଶିଳ୍ପ ଓ ଖଣିଖାଦାନ ଯୋଗୁଁ ସୁକିନ୍ଦା ଅଞ୍ଚଳ ପ୍ରଭାବିତ ହେଉଛି। ଏହାକୁ ରୋକିବା ଦିଗରେ ସବୁସ୍ତରରୁ ପ୍ରୟାସ ଆରମ୍ଭ ହୋଇଛି ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ସୁକିନ୍ଦା ବିଡିଓ ପ୍ରଜ୍ଞା ପାରମିତା ପୃଷ୍ଟି କହିଥିଲେ, ଉତ୍ତର ପିଢ଼ି ପାଇଁ ପରିବେଶକୁ ସୁରକ୍ଷିତ ରଖିବା ଦାୟିତ୍ବ ଆମ ସମସ୍ତଙ୍କର। ଏଥିପାଇଁ ସଭିଏଁ ଯତ୍ନବାନ ହୁଅନ୍ତୁ। ଅନ୍ୟତମ ଅତିଥି ସୁକିନ୍ଦା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ହିମାଂଶୁ ଶେଖର ଦ୍ବିବେଦୀ କହିଥିଲେ, ଏକଦା ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିବା ସୁକିନ୍ଦା‌ରେ ଏବେ ଜଙ୍ଗଲ ହ୍ରାସ ପାଇଛି। ପରିବେଶ ପାଇଁ ପ୍ରତ୍ୟେକ ନାଗରିକ ବୃକ୍ଷରୋପଣ କରିବା ଅପରିହାର୍ଯ୍ୟ। ‘ସମ୍ବାଦ’ ପକ୍ଷରୁ ସାରା ରାଜ୍ୟରେ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମ ଜାରି ରହିଥିବାରୁ ସେ ଏହି ମହତ୍‌ ଅଭିଯାନକୁ ସାଧୁବାଦ ଜଣାଇଥିଲେ। 

Related Post