Breaking News
ଧର୍ମ

ସିଙ୍ଗଡ଼ା ବାଡ଼ିଆ ଶେଷ

ସିଙ୍ଗଡ଼ା ବାଡ଼ିଆ ଶେଷ

ପୁରୀ: ରଥ ନିର୍ମାଣର ଆଜି ଥିଲା ୨୭ ତମ ଦିବସ। ରଥ ନିର୍ମାଣକାରୀ ସେବକ ରଥ ଖଳାରେ ଉପସ୍ଥିତ ରହି ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଆଜି ଭୋଇ ସେବକମାନେ ମା’ ଚର୍ଚ୍ଚିକା ଠାକୁରାଣୀ ନିକଟରେ ପଣା ଭୋଗ କରି ସିଙ୍ଗଡ଼ା ବାଡ଼ିଆ ଶେଷ କରିଛନ୍ତି। ତିନିରଥର ମୋଟ ୪୨ଟି ଚକ ମଧ୍ୟରୁ ତିନିଟି ବାକି ରହିଛି। ଆସନ୍ତାକାଲି ଚକ କାର୍ଯ୍ୟ ଶେଷ ହେବ।  ତିନିରଥ ମହାରଣା ସେବକ ଶେଷ ତିନିଟି ଚକ ନିର୍ମାଣ ପାଇଁ ତୁମ୍ବ ସିଙ୍ଗଡ଼ାରେ ପଇ ରଖି ମାପ ଚିହ୍ନ ଦେଇଥିଲେ। ସିଙ୍ଗଡ଼ା କଟିଂ ସହ ଅରମୁଖ ସାଲ କରି ପଇ ସଂଯୋଗ କାର୍ଯ୍ୟ କରିଥିଲେ। ପଇ କଳସା ଓ ପଇ ବିନ୍ଧରେ କୀଳା ବାଡିଆ ଶେଷ କରି ଚକ ନିର୍ମାଣ କାର୍ଯ୍ୟ ଜାରି କରିଛନ୍ତି। ରଥ ଅମୀନ ତିନି ରଥର ବେଦୀ ନିର୍ମାଣରେ ଆବଶ୍ୟକ ଢମକ ନିର୍ମାଣ ପାଇଁ ତିନି ରଥ ଚାଳିକୁ ଭୋଇ ସେବକମାନଙ୍କ ସହାୟତାରେ ତାଳଧ୍ୱଜ ରଥ ଚାଳି ଏବଂ ନନ୍ଦିଘୋଷ ରଥ ଚାଳିକୁ ୧୮ ଫୁଟିଆ ଧଉରା କାଠ ଯୋଗାଇ ଦେଇଛନ୍ତି। ତିନିରଥର ମହାରଣା ସେବକ ୧୮ ଫୁଟିଆ ଧଉରା କାଠର ଚଉପଟ କାର୍ଯ୍ୟ ଜାରି ରଖିଛନ୍ତି। ରୂପକାର ସେବକମାନେ ତିନିରଥ ସାଲ ଗୁଜରେ ରୂପ ଖୋଦେଇ ସହ ଶେଷ ହୋଇଥିବା ରୁପଗୁଡ଼ିକର ପଲିସ କାର୍ଯ୍ୟ ଜାରି ରଖିଛନ୍ତି। ଅନ୍ୟ ରୂପଗୁଡ଼ିକରେ ଅଳଙ୍କାର ପକା କାର୍ଯ୍ୟ ଜାରି ରଖିଛନ୍ତି। ଦୋଳବେଦୀ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ତିନିରଥ ଦଣ୍ଡା କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

Related Post