Breaking News
ଧର୍ମ

ଶ୍ରୀବିଗ୍ରହଙ୍କ ପାଇଁ ଦୈନିକ ୧୦୪ ଖଣ୍ଡ ବିଡ଼ିଆ ପାନ

ଶ୍ରୀବିଗ୍ରହଙ୍କ ପାଇଁ ଦୈନିକ ୧୦୪ ଖଣ୍ଡ ବିଡ଼ିଆ ପାନ

ପୁରୀ: ମହାପ୍ରଭୁ ଖାଲି ଭୋଜନ ପ୍ରିୟ ନୁହଁନ୍ତି, ବରଂ ଭୋଜନ ପରେ ମୁଖ ରୁଚି ପାଇଁ ପାନ ଦୁଇଖଣ୍ଡ ସେବନ କରନ୍ତି। ମାନବୀୟ ଲୀଳାଧାରୀ ମହାପ୍ରଭୁଙ୍କ ଲାଗି ପାନ ଭାଙ୍ଗିବା ଓ ପହଞ୍ଚାଇବାକୁ ସ୍ବତନ୍ତ୍ର ସେବକ ଖଞ୍ଜା। ପାନ ଭାଙ୍ଗିବାକୁ ଶ୍ରୀମନ୍ଦିର ପରିସରରେ ରହିଛି ‘ବିଡ଼ିଆ ଘର’। ପ୍ରତ୍ୟେକ ଦିନ ଶ୍ରୀବିଗ୍ରହଙ୍କ ଉଦ୍ଦେଶ୍ୟରେ ୧୦୪ ଖଣ୍ଡ ପାନ ଭଙ୍ଗାଯାଏ। ଦୁଇ ପ୍ରକାରର ପାନ ପ୍ରତ୍ୟହ ପ୍ରସ୍ତୁତ କରାଯାଏ। ଚଉତା ବିଡ଼ିଆ ଓ ଖିଲ ବିଡ଼ିଆ। ପାନ ପତ୍ରରେ ଗୁଆ, ଅଳେଇଚ, କେଶର ଓ ଲବଙ୍ଗ ଦେଇ ପ୍ରସ୍ତୁତ କରାଯାଏ। ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଉଥିବା ପାନରେ ଚୂନ ଲାଗେନାହିଁ କି ଖଇର ପଡ଼େ ନାହିଁ। ସେଥିପାଇଁ ଏହାକୁ 'ବିଡ଼ିଆ ପାନ'ର ଆଖ୍ୟା ଦିଆଯାଇଛି। ବିଡ଼ିଆ ଘରେ ପାନ ମସଲା ମହଜୁଦ ଥାଏ। ପାନ ଓ ପାନ ମସଲା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଏ। ପ୍ରତ୍ୟେକ ଦିନ ବିଡ଼ିଆ ଯୋଗାଣିଆ ସେବକ ବିଡ଼ିଆ ଘରେ ଏହି ପାନ ପ୍ରସ୍ତୁତ କରି ହଡ଼ପ ନାୟକ ସେବକଙ୍କୁ ଯୋଗାଇର ବିଧି ରହିଛି। ତିନି ଧୂପ, ସକାଳ, ମଧ୍ୟାହ୍ନ ଓ ସନ୍ଧ୍ୟା ଧୂପ ପରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପାଇଁ ୨ଟି ଲେଖାଏଁ ଏବଂ ଶ୍ରୀସୁଦର୍ଶନଙ୍କ ଉଦ୍ଦେଶ୍ୟରେ ଗୋଟିଏ ଲେଖାଏଁ ପାନ ଦିଆଯାଏ। ହଡ଼ପ ନାୟକ ସେବକ ସୂର୍ଯ୍ୟ ନାରାୟଣ ମହାପାତ୍ରଙ୍କ ସୂଚନା ମୁତାବକ, ମୁଖ୍ୟତଃ ପହୁଡ଼ ସମୟରେ ଖିଲ ବିଡ଼ିଆ ଦିଆଯାଏ। ନୈବେଦ୍ୟ ପରେ ଏବଂ ଚନ୍ଦନ ଲାଗି ସମୟରେ ଚଉତା ବିଡ଼ିଆ ଦିଆଯାଏ। ଚନ୍ଦନ ଲାଗି ସମୟରେ ହଡ଼ପ ନାୟକ ସେବକ ନିଜେ ବିଡ଼ିଆପାନ ସମର୍ପଣ କରିଥାଆନ୍ତି। ଅନ୍ୟ ସମୟରେ ପାନ ପୂଜାପଣ୍ଡାଙ୍କ ହାତକୁ ବଢ଼ାଇ ଦିଅନ୍ତି। କେବଳ ହଡ଼ପ ନାୟକ ସେବକ ଚନ୍ଦନ ସମୟରେ ସମର୍ପଣ କରୁଥିବା ପାନ ଆଣି ଭକ୍ତଙ୍କୁ ପ୍ରସାଦ ସ୍ବରୂପ ଦେଇଥାଆନ୍ତି। ଏହାବ୍ୟତୀତ ଚନ୍ଦନ ଯାତ୍ରାରେ ମହାପ୍ରଭୁଙ୍କ ପାଇଁ ଅତିରିକ୍ତ ୮୦ ଖଣ୍ଡ ପାନ ନିଆଯାଏ। ଏହା ବାଦ୍‌ ହଡ଼ପ ନାୟକ ସେବକ ଭକ୍ତଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଅତିରିକ୍ତ ୧୦୦ ଖଣ୍ଡ ପାନ ହଡ଼ପ ନାୟକ ନିଯୋଗ ପକ୍ଷରୁ ଆଣିଥାଆନ୍ତି। ନିଯୋଗ ପକ୍ଷରୁ ଏହା ଯୋଗାଇ ଦିଆଯାଇଥାଏ। ଚନ୍ଦନ ଯାତ୍ରାରେ ମହାପ୍ରଭୁ ଚାପ ଖେଳିବା ବେଳେ ପାଳିଆ ହଡ଼ପ ନାୟକ ସେବକ ମହାପ୍ରଭୁଙ୍କ ପାଖରେ ଛିଡ଼ା ହୋଇ, ପାନ ଖଣ୍ଡେ ଖଣ୍ଡେ ବଢ଼ାଉଥାଆନ୍ତି। ଅର୍ଥାତ ପାନ ଖାଇ ମହାପ୍ରଭୁ ଜଳକ୍ରୀଡ଼ା କରିଥାଆନ୍ତି। 

Related Post