Breaking News
ଦେଶ- ବିଦେଶ

ତେଲେଙ୍ଗାନାରେ ଗ୍ରୀଷ୍ମ ପ୍ରବାହ ତାଣ୍ଡବ: ଅଂଶୁଘାତ ନେଲାଣି ୧୬ ଜୀବନ

ତେଲେଙ୍ଗାନାରେ ଗ୍ରୀଷ୍ମ ପ୍ରବାହ ତାଣ୍ଡବ: ଅଂଶୁଘାତ ନେଲାଣି ୧୬ ଜୀବନ

ହାଇଦ୍ରାବାଦ: ଦେଶର ବିଭିନ୍ନ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି, ଯାହାଦ୍ୱାର ସାଧାରଣ ଜୀବନଯାତ୍ରା ଦୁର୍ବିସହ ହୋଇପଡ଼ିଛି। ପ୍ରଚଣ୍ଡ ସୂର୍ଯ୍ୟ ତାପ ଯୋଗୁଁ ଲୋକଙ୍କ ପାଇଁ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଛି। ତେଲେଙ୍ଗାନାରେ ପରିସ୍ଥିତି ଭୟଙ୍କର ରହିଛି। ରେକର୍ଡ ଭାଙ୍ଗିଥିବା ଗ୍ରୀଷ୍ମ ପ୍ରବାହ ଏବଂ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ତାପମାତ୍ରା ରାଜ୍ୟର ସାତଟି ଜିଲ୍ଲାରେ ଅଂଶୁଘାତ ଯୋଗୁଁ ୧୬ ଜଣଙ୍କ ଜୀବନ ଯାଇଛି। ପଡ଼ୋଶୀ ଆନ୍ଧ୍ରପ୍ରଦେଶରେଅଂଶୁଘାତର ୩୧୯ ମାମଲା ରିପୋର୍ଟ ହୋଇଛି। ତେବେ କୌଣସି ମୃତ୍ୟୁ ନିଶ୍ଚିତ ହୋଇନାହିଁ। ରାଜ୍ୟ ରାଜସ୍ୱ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧିକାରୀମାନେ ତାଙ୍କୁ ସାତଟି ଜିଲ୍ଲାରେ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଥିଲେ। ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ସରକାରୀ ବିବୃତିରେ କୁହାଯାଇଛି ଯେ, ଜୟଶଙ୍କର ଭୂପାଲପାଲି ଜିଲ୍ଲାରେ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ଘଟିଛି। ୱାରାଙ୍ଗଲ ସହରାଞ୍ଚଳ, କରିମନଗର ଏବଂ ନିଜାମାବାଦ ଜିଲ୍ଲାରେ ମଧ୍ୟ ତିନି-ତିନି ଜଣଙ୍କର ମୃତ୍ୟୁ ଘଟିଛି। ଜୋଗୁଲାମ୍ବା ଗଡୱାଲ, ରଙ୍ଗାରେଡ୍ଡି ଏବଂ ସୂର୍ଯ୍ୟପେଟ ଜିଲ୍ଲାରେ ଜଣେ ଜଣେଙ୍କର ମୃତ୍ୟୁ ଘଟିଛି। ବିଭିନ୍ନ ଜିଲ୍ଲାରୁ ପ୍ରାୟ ୩୪ ଜଣଙ୍କ ମୃତ୍ୟୁର ଅନୌପଚାରିକ ରିପୋର୍ଟ ମିଳିଥିବା କୁହାଯାଉଥିବାବେଳେ, ଜିଲ୍ଲା ପ୍ରଶାସନ ଏପର୍ଯ୍ୟନ୍ତ ନିଶ୍ଚିତ କରିନାହିଁ ଯେ, ସମସ୍ତ ମୃତ୍ୟୁ ଅଂଶୁଘାତ ଯୋଗୁଁ ହୋଇଛି। ରାଜ୍ୟ ସରକାର ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। କ୍ଷତିପୂରଣ ପ୍ରକ୍ରିୟାରେ କୌଣସି ବିଳମ୍ବ ନହେବା ଏବଂ କ୍ଷତିଗ୍ରସ୍ତ ପରିବାରକୁ ଯଥାଶୀଘ୍ର ସହାୟତା ଯୋଗାଇ ଦେବାକୁ ରାଜସ୍ୱ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Related Post