Breaking News
ଦେଶ- ବିଦେଶ

ଫସିଲେ ଉପସାଗରୀୟ ରାଷ୍ଟ୍ର: ସାଉଦି, ଜୋର୍ଡାନ ଓ କତର ପାଇଁ ବିପଦ ଅଧିକ

ଫସିଲେ ଉପସାଗରୀୟ ରାଷ୍ଟ୍ର: ସାଉଦି, ଜୋର୍ଡାନ ଓ କତର ପାଇଁ ବିପଦ ଅଧିକ

ତେହେରାନ/ରିୟାଦ୍: ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ବିରୋଧରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଏବେ ଉପସାଗରୀୟ ଅଞ୍ଚଳରେ ଘୋର ଆତଙ୍କ ସୃଷ୍ଟି କରିଛି। ସାଉଦି ଆରବ, କତର, ଯୁଏଇ, ବାହାରିନ ଓ ଜୋର୍ଡାନ ଆଦି ଦେଶମାନଙ୍କରେ ଆଜି ପୁଣି  ମିସାଇଲ ଓ ଡ୍ରୋନ୍ ଆକ୍ରମଣ କରିଛି ଇରାନ। ଅଧିକାଂଶ କ୍ଷେପଣାସ୍ତ୍ରକୁ ଏହି ଦେଶଗୁଡ଼ିକର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଧ୍ୱଂସ କରିଛି।  ଉପସାଗରୀୟ ଦେଶମାନଙ୍କରେ ଥିବା ଆମେରିକୀୟ ସାମରିକ ଘାଟିରୁ ହେଉଥିବା ଆକ୍ରମଣର ଜବାବରେ ଇରାନ ଏଭଳି ଆକ୍ରମଣ କରୁଥିବାରୁ ନାଗରିକମାନେ ଆତଙ୍କିତ ହୋଇ ରହିଛନ୍ତି।  ଏହି ଆକ୍ରମଣ   ତୈଳ ବଜାର ଓ ଆନ୍ତର୍ଜାତିକ ଉଡ଼ାଣକୁ ପ୍ରଭାବିତ କରିଛି ଏବଂ ଏହା ଦୀର୍ଘକାଳୀନ ଅସ୍ଥିରତାର କାରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ସାଉଦି ଆରବର ପ୍ରତିରକ୍ଷା ମନ୍ତ୍ରଣାଳୟ ଘୋଷଣା କରିଛି ଯେ ଅଲ-ଖର୍ଜ‌୍ର ପ୍ରିନ୍ସ ସୁଲତାନ୍ ବାୟୁସେନା ଘାଟି ଆଡ଼କୁ ଆସୁଥିବା ଦୁଇଟି ବାଲିଷ୍ଟିକ୍ ମିସାଇଲକୁ ଧ୍ୱଂସ କରାଯାଇଛି। ଏହା ବ୍ୟତୀତ ସାଇବା ତୈଳକ୍ଷେତ୍ର ଆଡ଼କୁ ଯାଉଥିବା ଛଅଟି ଡ୍ରୋନକୁ ମଧ୍ୟ ନଷ୍ଟ କରାଯାଇଛି। ଏହାପୂର୍ବରୁ ରିୟାଦ୍ ସହରର ପୂର୍ବରେ ଏକ ଡ୍ରୋନ୍ ନଷ୍ଟ କରାଯାଇଥିବା ଜଣାପଡ଼ିଛି। କତରରେ ଇରାନରୁ ଆସୁଥିବା ୧୦ଟି ଡ୍ରୋନରୁ ୯ଟିକୁ ନଷ୍ଟ କରାଯାଇଛି ଏବଂ ଗୋଟିଏ ଡ୍ରୋନ ଟାର୍ଗେଟ୍‌ରେ ପହଞ୍ଚି ଭୀଷଣ ବିସ୍ଫୋରଣ ଘଟାଇଛି।  ଶନିବାର କତରର ପ୍ରତିରକ୍ଷା ମନ୍ତ୍ରଣାଳୟ ଘୋଷଣା କରିଛି ଯେ ଦେଶକୁ ଲକ୍ଷ୍ୟ କରି ଆସୁଥିବା ମିସାଇଲ ଆକ୍ରମଣକୁ ପ୍ରତିରୋଧ କରାଯାଇଛି।  କତରର ନାଗରିକ ବିମାନ ପରିଚାଳନା କର୍ତ୍ତୃପକ୍ଷ ଜରୁରିକାଳୀନ ରୁଟ୍ ମାଧ୍ୟମରେ ସୀମିତ ଉଡ଼ାଣ ପୁନଃ ଆରମ୍ଭ କରିଛି।

Related Post