Breaking News
ଦେଶ- ବିଦେଶ

ମହାରାଷ୍ଟ୍ର ପୌର ନିର୍ବାଚନ: ୨୯ ମହାନଗର ନିଗମର ନିର୍ବାଚନର ଆଜି ଫଳାଫଳ

ମହାରାଷ୍ଟ୍ର ପୌର ନିର୍ବାଚନ: ୨୯ ମହାନଗର ନିଗମର ନିର୍ବାଚନର ଆଜି ଫଳାଫଳ

ମୁମ୍ବାଇ: ମହାରାଷ୍ଟ୍ର ପୌର ନିର୍ବାଚନ ଉପରେ ସମଗ୍ର ଦେଶର ନଜର ରହିଛି। ଏହା ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ହୋଇନଥିଲେ ମଧ୍ୟ ମହାରାଷ୍ଟ୍ର ପରି ଏକ ବଡ଼ ରାଜ୍ୟରେ କେଉଁ ଦଳର ଅଧିକ ପ୍ରଭାବ ରହିଛି ତାହା ଏହି ନିର୍ବାଚନରୁ ଜଣାପଡ଼ିଯିବ। ମହାରାଷ୍ଟ୍ରରେ ମୁମ୍ବାଇ ସମେତ ୨୯ଟି ମହାନଗର ନିଗମର ୨୮୬୯ ଆସନରେ ଗତକାଲି ମତଦାନ ଅନୁଷ୍ଠିତ ହୋଇଥିଲା। ଶୁକ୍ରବାର ନିର୍ବାଚନର ଫଳାଫଳ ଆସିବା ଆରମ୍ଭ ହୋଇଯାଇଛି।ଏହି ନିର୍ବାଚନରେ ମହାରାଷ୍ଟ୍ରର ପ୍ରଭାବଶାଳୀ ଦୁଇ ରାଜନୈତିକ ପରିବାର ପାୱାର ଓ ଠାକ୍‌ରେ ପରିବାର ଏକାଠି ନିର୍ବାଚନ ଲଢ଼ୁଥିବାରୁ ସେମାନଙ୍କ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। ବୃହନମୁମ୍ବାଇ ନଗର ନିଗମ (ବିଏମ୍‌ସି) ନିର୍ବାଚନ ପାଇଁ ଉଦ୍ଧବ ଠାକ୍‌ରେଙ୍କ ଶିବସେନା (ୟୁବିଟି) ଓ ରାଜ୍‌ ଠାକ୍‌ରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌)ର ମେଣ୍ଟ କରି ନିର୍ବାଚନ ଲଢ଼ୁଛନ୍ତି। ଏମ୍‌ଏନ୍‌ଏସ୍‌ ସହିତ ମେଣ୍ଟ କରିବାକୁ ଉଦ୍ଧବ ରାଜ୍ୟରେ କଂଗ୍ରେସର ହାତ ଛାଡ଼ିଦେଇଥିଲେ।ଅନ୍ୟପକ୍ଷରେ ପୁଣେ, ପିମ୍ପ୍ରି ଛିନ୍ଦୱାରା ଓ ପରଭାନୀ ପୌର ନିର୍ବାଚନ ପାଇଁ ଶରଦ ପାୱାରଙ୍କ ଏନ୍‌ସିପି (ଏସ୍‌ପି) ଓ ଅଜିତ ପାୱାରଙ୍କ ଏନ୍‌ସିପି ମଧ୍ୟରେ ମେଣ୍ଟ ହୋଇଛି। ଏହି ନିର୍ବାଚନରେ କଂଗ୍ରେସ ଏକୁଟିଆ ନିର୍ବାଚନ ଲଢ଼ୁଥିବାବେଳେ ରାଜ୍ୟରେ ଦଳର ସ୍ଥିତି କ’ଣ ଅଛି ଫଳାଫଳ ପରେ ଜଣାପଡ଼ିବ। ତେବେ ଦିନ ୧୧ ଟା ୩୦ ମିନିଟ ପର୍ଯ୍ୟନ୍ତ ବିଜେପି ସର୍ବାଧିକ ୫୩୫ ଆସନରେ ଆଗରେ ରହିଛି। ଏକନାଥ ସିନ୍ଦେଙ୍କ ଶିବସେନା ୧୬୪ ଆସନ, କଂଗ୍ରେସ ୧୪୭ ଆସନରେ ଆଗରେ ଅଛନ୍ତି। ଉଦ୍ଧବଙ୍କ ଶିବସେନା ୭୮ ଆସନରେ , ଅଜିତ ପାୱାରଙ୍କ ଏନ୍‌ସିପି ୭୦ ଓ ତାଙ୍କ କକା ଶରଦ ପାୱାରଙ୍କ ଏନ୍‌ସିପି ୮ ଆସନରେ ଆଗରେ ରହିଛନ୍ତି। ମୁମ୍ବାଇରେ ଉଦ୍ଧବଙ୍କ ସହିତ ଏକାଠି ଲଢ଼ୁଥିବା ଏମ୍‌ଏନ୍‌ଏସ୍‌ଙ୍କ ପ୍ରଦର୍ଶନ ସେତେଟା ଭଲ ନାହିଁ। ଅସଉଦ୍ଦିନ ଅୱେସୀଙ୍କ ଏଆଇଏମ୍‌ଆଇଏମ୍‌ ୨୫, ଏମ୍‌ଏନ୍‌ଏସ୍‌ ୬ଟି ଆସନରେ ଆଗରେ ଅଛନ୍ତି।କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ନିର୍ବାଚନ ଆୟୋଗଙ୍କୁ ନାଗରିକମାନଙ୍କୁ ବୋକା ବନଉଥିବା ଅଭିଯୋଗ ଆଣିଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି ରାହୁଲ କହିଛନ୍ତି ଯେ, ଭୋଟ୍‌ ହେରଫେର ଭାରତର ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ଜନସାଧାରଣଙ୍କ ବିଶ୍ୱାସକୁ ହ୍ରାସ କରୁଛି। ଭୋଟ ଚୋରି ଏକ ରାଷ୍ଟ୍ର ବିରୋଧୀ କାର୍ଯ୍ୟ ବୋଲି ରାହୁଲ କହିଛନ୍ତି। ବୃହନମୁମ୍ବାଇ ନଗର ନିଗମ ନିର୍ବାଚନ ସମେତ ମହାରାଷ୍ଟ୍ର ନାଗରିକ ସଂସ୍ଥା ନିର୍ବାଚନକୁ ନେଇ ବିତର୍କ ତୀବ୍ର ହୋଇଛି। ଆସିଟୋନ୍ ଭଳି ରାସାୟନିକ ପଦାର୍ଥ ବ୍ୟବହାର କରି ଅଲିଭା କାଳି ଚିହ୍ନ ହଟାଯାଇପାରିବ ବୋଲି ଦାବି କରୁଥିବା ଭିଡିଓ ଉପରେ ସୋସିଆଲ୍ ମିଡିଆରେ ଝଡ଼ ମଧ୍ୟରେ ରାହୁଲଙ୍କର ଏହି ମନ୍ତବ୍ୟ ଆସିଛି

Related Post