Breaking News
ଦେଶ- ବିଦେଶ

ଆଜମଗଡ଼ର ମୌଲାନାଙ୍କ ଉପରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ: ମନି ଲଣ୍ଡରିଂ ମାମଲା ରୁଜୁ, ଆତଙ୍କ ସଂଗଠନ ସହ ଲିଙ୍କ୍‌ ନେଇ ଖୋଳତାଡ଼

ଆଜମଗଡ଼ର ମୌଲାନାଙ୍କ ଉପରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ: ମନି ଲଣ୍ଡରିଂ ମାମଲା ରୁଜୁ, ଆତଙ୍କ ସଂଗଠନ ସହ ଲିଙ୍କ୍‌ ନେଇ ଖୋଳତାଡ଼

ନୂଆଦିଲ୍ଲୀ: ବ୍ରିଟେନ୍‌ରେ ରହୁଥିବା ଆଜମଗଡ଼ର ଜଣେ ଇସଲାମିକ ପ୍ରଚାରକ ମୌଲାନା ଶମସୁଲ ହୁଦା ଖାନଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଉତ୍ତରପ୍ରଦେଶ ଏଟିଏସ୍ ଦ୍ୱାରା ପଞ୍ଜୀକୃତ ଏଫ୍ଆଇଆର୍ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମନି ଲଣ୍ଡରିଂ ନିବାରଣ ଆଇନ (ପିଏମ୍ଏଲ୍ଏ) ଅନୁଯାୟୀ ଇଡି ମୌଲାନାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଛି। ଶମସୁଲ ହୁଦା ଖାନଙ୍କ ବିରୋଧରେ ଧାର୍ମିକ ଶିକ୍ଷା ଆଳରେ ମୌଳବାଦୀ ଆଦର୍ଶକୁ ପ୍ରୋତ୍ସାହିତ କରିବା ଏବଂ ବେଆଇନ ପାଣ୍ଠି ଯୋଗାଣ ନେଇ ଗୁରୁତର ଅଭିଯୋଗ ହୋଇଛି। ରେକର୍ଡ ଅନୁଯାୟୀ, ଶମସୁଲ ହୁଦା ଖାନ ୧୯୮୪ ମସିହାରେ ଆଜମଗଡର ଏକ ସରକାରୀ ଅନୁଦାନପ୍ରାପ୍ତ ମଦ୍ରାସାରେ ସହକାରୀ ଶିକ୍ଷକ ଭାବରେ ନିଯୁକ୍ତ ହୋଇଥିଲେ। ୨୦୧୩ରେ ସେ ବ୍ରିଟିସ ନାଗରିକତ୍ୱ ପାଇଥିଲେ ମଧ୍ୟ ୨୦୧୩ରୁ ୨୦୧୭ ପର୍ଯ୍ୟନ୍ତ ଭାରତରେ ଦରମା ନେଉଥିବା ଅଭିଯୋଗ ହୋଇଛି। ଏହି ସମୟରେ ସେ ଭାରତୀୟ ନାଗରିକ ନ ଥିଲେ କିମ୍ବା ଶିକ୍ଷାଦାନ କରୁ ନ ଥିଲେ। ଏହି ସମୟ ମଧ୍ୟରେ, ସେ ବ୍ରିଟେନରେ ଧାର୍ମିକ ପ୍ରବଚନ ଜାରି ରଖିଥିଲେ ଏବଂ ଭାରତର ସରକାରୀ ବ୍ୟବସ୍ଥା ଦଶ ବର୍ଷ ପର୍ଯ୍ୟନ୍ତ ତାଙ୍କ ଅନୁପସ୍ଥିତି ଉପରେ ଆଖି ବୁଜି ଦେଇଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ଶମସୁଲ ହୁଦା ଖାନ ଅନେକ ଦେଶ ଭ୍ରମଣ କରିଛନ୍ତି ଏବଂ ଭାରତରେ ପରିଚାଳିତ ୭ରୁ ୮ଟି ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ କୋଟି କୋଟି ଟଙ୍କା ପାଇଛନ୍ତି। ଇଡି ଅନୁଯାୟୀ, ସେ ୩୦ କୋଟିରୁ ଅଧିକ ଟଙ୍କା ମୂଲ୍ୟର ଏକ ଡଜନରୁ ଅଧିକ ସ୍ଥାବର ସମ୍ପତ୍ତି ମଧ୍ୟ କିଣିଛନ୍ତି। ସେ ରାଜା ଫାଉଣ୍ଡେସନ ନାମକ ଏକ ଏନ୍‌ଜିଓ ମାଧ୍ୟମରେ ଓ ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟ ମାଧ୍ୟମରେ ବିଭିନ୍ନ ମଦ୍ରାସାକୁ ପାଣ୍ଠି ପ୍ରଦାନ କରିଥିବା ଜଣାଯାଇଛି। ଶମସୁଲ ହୁଦା ଖାନ ଆଜମଗଡ଼ ଓ ସନ୍ଥ କବୀର ନଗରରେ ଦୁଇଟି ମଦ୍ରାସା ସ୍ଥାପନ କରିଥିଲେ, ଯାହାର ସ୍ୱୀକୃତି ପରେ କର୍ତ୍ତୃପକ୍ଷଙ୍କ ଦ୍ୱାରା ରଦ୍ଦ କରାଯାଇଥିଲା। ଅନୁସନ୍ଧାନକାରୀ ସଂସ୍ଥା କହିଛି ଯେ, ଏହି ଅନୁଷ୍ଠାନ ମାଧ୍ୟମରେ ବିଦେଶୀ ପାଣ୍ଠିର ଉପଯୋଗ ଓ ମୌଳବାଦୀ କାର୍ଯ୍ୟକଳାପ ଚାଲିବାର ସମ୍ଭାବନା ରହିଛି। ମିଳିଥିବା ସୂଚନା ମୁତାବକ, ବ୍ରିଟେନର ଆତଙ୍କୀ ସଂଗଠନ ସହ ଶାମସୁଲ ହୁଦା ଖାନଙ୍କ ସମ୍ପର୍କର ତଦନ୍ତ ଚାଲିଛି। ଏହା ବ୍ୟତୀତ ତାଙ୍କର ପାକିସ୍ତାନ ଗସ୍ତ ଓ ସେଠାରେ ଥିବା ଉଗ୍ରବାଦୀ ସଂଗଠନ ସହ ଲିଙ୍କ୍ ଥିବା ଅଭିଯୋଗ ଉପରେ ମଧ୍ୟ ତଦନ୍ତ ଚାଲିଛି। ତଦନ୍ତକାରୀ ସଂସ୍ଥା ଅନୁମାନ କରୁଛି ଯେ, ସେ ପାକିସ୍ତାନର ଉଗ୍ରବାଦୀ ସଂଗଠନ ‘ଦାୱତ-ଏ-ଇସଲାମି’ ସହ ଜଡିତ ଥାଇପାରନ୍ତି।

Related Post