Breaking News
ଦେଶ- ବିଦେଶ

ରାଞ୍ଚିରେ ‘ବିରାଟ’ ରୋମାଞ୍ଚ: ଭାରତ ୧୭ ରନ୍‌ରେ ବିଜୟୀ, ଲଢ଼ିକି ହାରିଲା ଦକ୍ଷିଣ ଆଫ୍ରିକା

ରାଞ୍ଚିରେ ‘ବିରାଟ’ ରୋମାଞ୍ଚ: ଭାରତ ୧୭ ରନ୍‌ରେ ବିଜୟୀ, ଲଢ଼ିକି ହାରିଲା ଦକ୍ଷିଣ ଆଫ୍ରିକା

ରାଞ୍ଚି: ଫର୍ମ ଅସ୍ଥାୟୀ, କ୍ଲାସ୍ ସ୍ଥାୟୀ; ଏକଥାକୁ ପୁଣି ଥରେ ପ୍ରମାଣ କରିଛନ୍ତି କିଙ୍ଗ୍ କୋହଲି। ଘରୋଇ ପ୍ରତ୍ୟାବର୍ତ୍ତନର ପ୍ରଥମ ମ୍ୟାଚ୍‌ରେ ବିରାଟ ପାଳି ଖେଳିଛନ୍ତି ସେ। ତାଙ୍କ ରେକର୍ଡଭରା ଶତକୀୟ ପାଳି (୧୩୫ ରନ୍) ବଳରେ ରାଞ୍ଚି ଦିନିକିଆକୁ ରୋମାଞ୍ଚକ ଭାବେ ୧୭ ରନ୍‌ରେ ଜିତି ନେଇଛନ୍ତି ଭାରତ। ନିଜ ୫୨ତମ ଶତକର ଉତ୍କଣ୍ଠାପୂର୍ଣ୍ଣ ଯାତ୍ରା ଭିତରେ ବିବିଧ ସଟ୍‌ର ସମ୍ଭାର ପ୍ରସ୍ତୁତ କରି କୋହଲି ମଧ୍ୟ ପ୍ରଶଂସକଙ୍କୁ ବି‌ମୋହିତ କରିଛନ୍ତି। ‌‌କୋହଲି ଶତକ ଛୁଇଁବା ପରେ ଜଣେ ଅମାନିଆ ଦର୍ଶକ ସୁରକ୍ଷା ବଳୟ ଭାଙ୍ଗି ପଡ଼ିଆ ଭିତରେ ତାଙ୍କୁ ମୁଣ୍ଡିଆ ମାରିବା ବି ତାଙ୍କ ଅସାଧାରଣ ଲୋକପ୍ରିୟତାକୁ ଦର୍ଶାଇଛି। କୌଣସି ଗୋଟିଏ ଫର୍ମାଟ୍‌ରେ ସର୍ବାଧିକ ଶତକ ହାସଲ କରିବାରେ ନିଜ ଆଦର୍ଶ ସଚିନ ତେନ୍ଦୁଲକରଙ୍କୁ ଟପିବା ବ୍ୟକ୍ତିଗତ ଭାବେ ବିରାଟଙ୍କ ପାଇଁ ଅଧିକ ସ୍ମରଣୀୟ ଓ ସ୍ବତନ୍ତ୍ର ହୋଇଛି। କୋହଲିଙ୍କ ପୁରୁଣା ସାଥୀ ରୋହିତ ଶର୍ମା ମଧ୍ୟ ପଛରେ ନାହାନ୍ତି। ୫୭ ରନ୍‌ର ପାଳି ଭିତର ସେ ମଧ୍ୟ ଏକାଧିକ ‌ରେକର୍ଡର ଅଧିକାରୀ କରିଛନ୍ତି। ‘ରୋକା’ଙ୍କ ସ୍ବର୍ଣ୍ଣିମ ସ୍ପର୍ଶରେ ଭାରତୀୟ ଦଳ ବି ବିଜୟ ଧାରାକୁ ଫେରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳାକୁ ୦-୨ରେ ହାରିବାର ଅବସାଦ ପରେ ଏହି ଦୁଇ ମହାନ ତାରକାଙ୍କ ଉପସ୍ଥିତିରେ ଦିନିକିଆ ଶୃଙ୍ଖଳାକୁ ବିଜୟର ଦମ୍ଭ ଓ ଆତ୍ମବିଶ୍ବାସର ସହ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ସମସ୍ତଙ୍କ ନଜର ଏବେ ୩ ତାରିଖ‌ରେ ରାଏପୁରରେ ଖେଳାଯିବାକୁ ଥିବା ଦ୍ବିତୀୟ ଦିନିକିଆ ଉପରକୁ ଘୁଞ୍ଚିଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳ ପାଖରେ ୨-୦ର ଅପରାଜେୟ ଅଗ୍ରଣୀ ନେଇ ଆଗୁଆ ଶୃଙ୍ଖଳା ଜିତିବାର ସୁଯୋଗ ରହିଛି। ଭାରତ ୩୫୦ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଦେବା ପରେ ଘରୋଇ ଦଳର ବିଜୟକୁ ନେଇ ପ୍ରଶଂସକ ଆଶ୍ବସ୍ତ ଥିଲେ। ଦକ୍ଷିଣ ଆଫ୍ରିକା କିନ୍ତୁ ‌‌ପାରୁ ପର୍ଯ୍ୟନ୍ତ ଲଢ଼ିଥିଲା। ୧୧ ରନ୍‌ରେ ୩ ୱିକେଟ୍‌ର ଝଟ୍‌କାରୁ ବାହାରି ଭାରତ ଉପରୁ ଶେଷ ପର୍ଯ୍ୟନ୍ତ ଚାପ ହଟିବାକୁ ଦେଇ ନଥିଲା। ତିନିଟି ଅର୍ଦ୍ଧଶତକ ଏବଂ ଦୁଇଟି ୩୦ରୁ ଅଧିକ ରନ୍‌ର ଦ୍ରୁତ ପାଳି ବଳରେ ଏକଦା ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେବାର ଆଶଙ୍କ‌ା ବି ସୃଷ୍ଟି କରିଥିଲା ଏହି ଦଳ। ମାର୍କୋ ୟାନ୍‌ସେନ୍ ଓ ମାଥ୍ୟୁ ବ୍ରିଜ୍‌କେ ଧମାକାଦାର ବ୍ୟାଟିଂ କରିବା ପୂରା ଷ୍ଟାଡିୟମ୍‌ରେ ନିରବତା ଭରି ଦେଇଥିଲା। ଉଭୟଙ୍କୁ ଗୋଟିଏ ବଲ୍‌ ବ୍ୟବଧାନରେ ଆଉଟ୍ କରି କୁଲଦୀପ ଯାଦବ ଭାରତର ବିଜୟ ପଥ କିଛିଟା ସୁଗମ କରିଥିଲେ। ଅନ୍ୟତମ ଦକ୍ଷିଣ ଆଫ୍ରିକୀୟ ଅଲ୍‌ରାଉଣ୍ଡର୍ କର୍ବିନ୍ ବସ୍ କିନ୍ତୁ ଲଢ଼ିବା ଛାଡ଼ି ନଥିଲେ। ତାଙ୍କ ବଡ଼ ବଡ଼ ସଟ୍ ପାଇଁ ଭାରତୀୟ ପ୍ରଶଂସକଙ୍କ ଛାତି ଧଡ଼ଧଡ଼ ହୋଇଥିଲା। ଶେଷରେ ସାଥୀଙ୍କ ନିୟମିତ ହରାଇବାର ଜଟିଳ ପରିସ୍ଥିତିରେ ମାନସିକ ଦୃଢ଼ତା ହରାଇ ସେ ଅନ୍ତିମ ଓଭରରେ ଦ୍ବିତୀୟ ବଲ୍‌ରେ ଆଉଟ୍ ହୋଇଯାଇଥିଲେ। ଦକ୍ଷିଣ ଅଫ୍ରିକା ଲଢ଼ୁଆ କ୍ରିକେଟ୍ ଖେଳି ୪୯.୨ ଓଭରରେ ୩୩୨ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଯାହା ଭାରତୀୟ ଖେଳାଳିଙ୍କ ସହ ପ୍ରଶଂସକଙ୍କ ମୁଣ୍ଡରୁ ବଡ଼ ବୋଝ ଖାଲିକରି ଦେଇଥିଲା। ୟାନ୍‌ସେନ୍ ଓ ବ୍ରିଜ୍‌କେ ୯୭ ରନ୍ ଯୋଡ଼ିବା ଏବଂ ‌‌ଶେଷ ୩ ୱିକେଟ୍‌ରେ ଦକ୍ଷିଣ ଆଫ୍ରିକା ୧୦୪ ରନ୍ କରିବା ହିଁ ସବୁଠୁ ବଡ଼ ଚିନ୍ତାର କାରଣ ଥିଲା। 

Related Post