Breaking News
ଦେଶ- ବିଦେଶ

ଜି-୨୦ ଶିଖର ସମ୍ମିଳନୀ ୨୦୨୫: ମୋଦୀଙ୍କ ବୈଶ୍ୱିକ ପ୍ରୟାସକୁ ସମର୍ଥନ

ଜି-୨୦ ଶିଖର ସମ୍ମିଳନୀ ୨୦୨୫: ମୋଦୀଙ୍କ ବୈଶ୍ୱିକ ପ୍ରୟାସକୁ ସମର୍ଥନ

ଜୋହାନ୍ସବର୍ଗ: ପ୍ରଥମ ଥର ପାଇଁ ଆଫ୍ରିକା ମାଟିରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀ ଅନେକ କାରଣରୁ ସମଗ୍ର ବିଶ୍ବର ଫୋକସ୍‌ରେ ରହିଛି। ଆମେରିକାର ଅସହଯୋଗ ପଦକ୍ଷେପ ଏବଂ ମିଳିତ ଘୋଷଣାପତ୍ର ଜାରି ନକରିବା ପାଇଁ ଦିଆଯାଇଥିବା ସଙ୍କେତକୁ ଦକ୍ଷିଣ ଆଫ୍ରିକା  ରାଷ୍ଟ୍ରପତି ସିରିଲ ରାମାଫୋସା ପ୍ରତ୍ୟାଖ୍ୟାନ କରିଛନ୍ତି। ରାମାଫୋସାଙ୍କ ନେତୃତ୍ୱରେ ସମ୍ମିଳନୀ ସବୁଦିଗରୁ ସଫଳ ହୋଇଛି ଏବଂ ଏକ ବିସ୍ତୃତ ଘୋଷଣାପତ୍ର ଗୃହୀତ ହୋଇଛି। ଏହି ଘୋଷଣାପତ୍ରରେ ଋଣଗ୍ରସ୍ତ ଦେଶମାନଙ୍କ ପାଇଁ ତୁରନ୍ତ ଋଣ ମୁକ୍ତି, ନବୀକରଣଯୋଗ୍ୟ ଶକ୍ତିର ତିନିଗୁଣ ବୃଦ୍ଧି, ଖଣିଜ ସମ୍ପଦର ମୂଲ୍ୟ ନିର୍ଦ୍ଧାରଣ ଓ ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ଶାନ୍ତି ଓ ଆଫ୍ରିକୀୟ ରାଷ୍ଟ୍ରମାନଙ୍କୁ ବିକାଶର ନୂଆ ପର୍ଯ୍ୟାୟରେ ପହଞ୍ଚାଇବା ନିଷ୍ପତ୍ତିକୁ ଆଗକୁ ବଢ଼ାଇବା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ସ୍ଥାନ ପାଇଛି। ଏହା ସହିତ ‘ଗ୍ଲୋବାଲ୍‌ ସାଉଥ୍‌’ର ଶକ୍ତି ବୃଦ୍ଧି ଓ ସହଯୋଗ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସ୍ତାବକୁ  ବିଶେଷ ଗୁରୁତ୍ବ ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ସମ୍ମିଳନୀରେ ‘ସମାନ ଓ ସ୍ଥାୟୀ ଅର୍ଥନୈତିକ ବିକାଶ’ ବିଷୟରେ ଆଲୋଚନା କରି ତିନୋଟି ଯୁଗାନ୍ତକାରୀ  ପ୍ରସ୍ତାବ ରଖିଛନ୍ତି, ଯାହା ଗ୍ଲୋବାଲ ସାଉଥ୍‌ର ସ୍ବରକୁ ଆହୁରି ସଶକ୍ତ କରିଛି।ବୈଶ୍ୱିକ ପାରମ୍ପରିକ ଜ୍ଞାନ ଭଣ୍ଡାର: ଭାରତର ପ୍ରାଚୀନ ଆୟୁର୍ବେଦ, ଯୋଗ ଓ ପାରମ୍ପରିକ ଚିକିତ୍ସା ପଦ୍ଧତି ସହ ବିଶ୍ୱର ଅନ୍ୟ ଦେଶମାନଙ୍କ ପାରମ୍ପରିକ ଜ୍ଞାନକୁ ଏକ ଡିଜିଟାଲ ପ୍ଲାଟଫର୍ମରେ ସଂରକ୍ଷଣ କରାଯିବାକୁ ପ୍ରଧାନମନ୍ତ୍ରୀ  ମୋଦୀ ପ୍ରସ୍ତାବ ଦେଇଛନ୍ତି। ଏହା ସ୍ୱାସ୍ଥ୍ୟ, ପରିବେଶ ଓ ସ୍ଥାୟୀ ଜୀବନଶୈଳୀ ପାଇଁ ନୂଆ ଦିଗନ୍ତ ଖୋଲିବ। ‘ଆମର ସାମୂହିକ ଜ୍ଞାନକୁ ଆଗାମୀ ପିଢ଼ିକୁ ହସ୍ତାନ୍ତର କରିବା ଉଚିତ ବୋଲି ମୋଦି କହିଛନ୍ତି। ଜି୨୦-ଆଫ୍ରିକା କୌଶଳ ବିକାଶ ପ୍ରୟାସ: ଆଗାମୀ ଦଶ ବର୍ଷ ଭିତରେ ଆଫ୍ରିକାରେ ୧୦ ଲକ୍ଷ ପ୍ରମାଣିତ ପ୍ରଶିକ୍ଷକ ତିଆରି କରିବାର ଲକ୍ଷ୍ୟ ରଖାଯାଇଛି ଏବଂ ଏହା ଆଫ୍ରିକାର ଯୁବଶକ୍ତିକୁ ବୈଶ୍ୱିକ ବଜାର ପାଇଁ ଯୋଗ୍ୟ କରିବ ବୋଲି ମୋଦୀ କହିଛନ୍ତି। ୨୦୨୩ରେ ଭାରତ ଆଫ୍ରିକୀୟ ସଂଘକୁ ଜି-୨୦ରେ ସ୍ଥାୟୀ ସଦସ୍ୟତା ଦେବା ପରେ ଏହା ଦ୍ୱିତୀୟ ବଡ଼ ପଦକ୍ଷେପ। ‘ଆଫ୍ରିକାର ଉନ୍ନତି ହିଁ ବିଶ୍ୱର ଉନ୍ନତି’ ବୋଲି ମୋଦୀଙ୍କ ବାର୍ତ୍ତାଙ୍କୁ ସମସ୍ତ ରାଷ୍ଟ୍ର ସମର୍ଥନ କରିଛନ୍ତି।

Related Post