Breaking News
ଦେଶ- ବିଦେଶ

୨୦୩୦ରେ ଜଳସମାଧି ନେବ ଆଇଏସ୍‌ଏସ୍‌

୨୦୩୦ରେ ଜଳସମାଧି ନେବ ଆଇଏସ୍‌ଏସ୍‌

୨୫ ବର୍ଷ ହେଲା ମହାକାଶରେ ପୃଥିବୀ ଚାରିପଟେ ନିରନ୍ତର ଘୂରୁଥିବା ଆନ୍ତର୍ଜାତିକ ମହାକାଶ କେନ୍ଦ୍ର(ଆଇଏସ୍‌ଏସ୍‌) ହେଉଛି ସବୁଠାରୁ ଦୀର୍ଘ କାଳ ଧରି କାର୍ଯ୍ୟକ୍ଷମ କକ୍ଷପଥ ପରୀକ୍ଷାଗାର। ତେବେ ଏହାର ଯାତ୍ରାର ଅନ୍ତିମ ପର୍ଯ୍ୟାୟ ନିକଟତର ହେଉଥିବାରୁ  ୨୦୩୦ ମସିହା ଶେଷ ଭାଗରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଏବଂ ଏହାର ବିଶ୍ୱବ୍ୟାପୀ ଅଂଶୀଦାରମାନେ ଆଇଏସ୍‌ଏସ୍‌କୁ ଅବସର ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହାକୁ ମହାକାଶରୁ କକ୍ଷଚ୍ୟୁତ କରାଇ ପ୍ରଶାନ୍ତ ମହାସାଗରର ‘ପଏଣ୍ଟ୍ ନିମୋ’ରେ ଜଳ ସମାଧି ଦେବା ପାଇଁ ଯୋଜନା ହେଉଛି। ଉଲ୍ଲେଖଯୋଗ୍ୟ, ‘ଅନ୍ତରୀକ୍ଷ ଯାନଙ୍କ କବରସ୍ଥାନ’ ଭାବେ ଜଣାଶୁଣା ପ୍ରଶାନ୍ତ ମହାସାଗରର ପଏଣ୍ଟ୍‌ ନିମୋ ହେଉଛି ଏକ ବିରଳ ଅଞ୍ଚଳ, ଯାହା ପୃଥିବୀର ଯେକୌଣସି ଭୂଖଣ୍ଡରୁ ଦୂରତମ ସ୍ଥାନ। ତେଣୁ ମହାକାଶରୁ ଖସୁଥିବା ଅବଶେଷ ସେଠାରେ ପଡ଼ିଲେ ତାହା ଧନଜୀବନ ନଷ୍ଟ କରିବାର ଆଶଙ୍କା ସର୍ବନିମ୍ନ। ଅତୀତରେ, ଶହ ଶହ ମହାକାଶଯାନର ଧ୍ବଂସାବଶେଷକୁ ଏହି ମହାସାଗରୀୟ କବରସ୍ଥାନରେ ଲୀନ କରାଯାଇଛି, ଯେଉଁଥିରେ ରୁଷିଆର ମିର୍‌ ଷ୍ଟେସନ୍‌ ମଧ୍ୟ ଅନ୍ତର୍ଭୁକ୍ତ। କହିବା ବାହୁଲ୍ୟ, ଆଇଏସ୍‌ଏସ୍‌ ନିଜ କକ୍ଷରୁ ବିଚ୍ୟୁତ ହୋଇ ପୃଥିବୀ ଅଭିମୁଖେ ଫେରି ଆସିଲା ବେଳେ ତାହା ଅନେକ ପର୍ଯ୍ୟାୟରେ ଭାଙ୍ଗିଯିବ ବୋଲି ‘ନାସା’ ଇଞ୍ଜିନିଅରମାନେ ଆକଳନ କରୁଛନ୍ତି। ତେବେ ମଡ୍ୟୁଲ୍‌ର ବିଖଣ୍ଡନ ପୂର୍ବରୁ ପ୍ୟାନେଲ୍ ଓ ବାହ୍ୟ ଆବରଣ ପ୍ରଥମେ ପୃଥକ୍‌ ହୋଇଯିବ। ଅଧିକାଂଶ ଉପାଦାନ ବାୟୁମଣ୍ଡଳ ସହ ଘର୍ଷଣଜନିତ ଉଚ୍ଚ ତାପ ଯୋଗୁଁ ଜଳିଯିବ ଏବଂ ଶେଷରେ ଅବଶିଷ୍ଟାଂଶ ସମୁଦ୍ରରେ ପଡ଼ିବ। ସ୍କାଏଲ୍ୟାବ୍ ପରି ଭଗ୍ନାବଶେଷ ବିପଦକୁ ଏଡ଼ାଇବା ପାଇଁ ଆଇଏସ୍‌ଏସ୍‌ର ନିୟନ୍ତ୍ରିତ ବ୍ୟବସ୍ଥା କାର୍ଯ୍ୟ କରିବ। ବୈଜ୍ଞାନିକଙ୍କ କହିବାନୁଯାୟୀ, ପୃଥିବୀର ନିମ୍ନ କକ୍ଷପଥରେ ଭିଡ଼ ବୃଦ୍ଧି ପାଉଥିବାରୁ ଆଇଏସ୍‌ଏସ୍‌ର ନିର୍ଗମନ ନୂତନ ବାଣିଜ୍ୟିକ ମହାକାଶ ଷ୍ଟେସନ୍ ଏବଂ ବିଶ୍ୱ ସ୍ତରରେ ବିକଶିତ ଏକ ମହାକାଶ ରଣନୀତିକୁ ମଧ୍ୟ ଚିହ୍ନିତ କରିବ।

Related Post