Breaking News
ଦେଶ- ବିଦେଶ

ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ୍ ଆଜି: ଶେଫାଳିଙ୍କ ଉପରେ ନଜର

ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ୍ ଆଜି: ଶେଫାଳିଙ୍କ ଉପରେ ନଜର

ନବି ମୁମ୍ବାଇ: ଚଳିତ ମହିଳା ବିଶ୍ବକପ୍‌ର ୩୦ତମ ମ୍ୟାଚ୍ ତଥା ଦ୍ବିତୀୟ ସେମିଫାଇନାଲ୍‌ରେ ଆୟୋଜକ ଭାରତ ଏବଂ ୬ଥର ବିଜେତା ଅଷ୍ଟ୍ରେଲିଆ ଗୁରୁବାର ମୁହାଁମୁହିଁ ହେବେ। ଭାରତ ୨୦୧୭ ମସିହା ସଫଳତାକୁ ଦୋହରାଇବା ଲକ୍ଷ୍ୟରେ ଥିଲା ବେଳେ ଅଷ୍ଟ୍ରେଲିଆ ସପ୍ତମ ଥର ବିଶ୍ବକପ୍ ଜିତିବା ଦିଗରେ ଆଉ ପାଦେ ଆଗେଇବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ବିଶ୍ବକପ୍ ହେଉକି ଦ୍ବିପାକ୍ଷିକ ଶୃଙ୍ଖଳା ଅଷ୍ଟ୍ରେଲିଆ ଅତୀତରେ ସବୁବେଳେ ଭାରୀ ପଡ଼ୁଥିଲେ ମଧ୍ୟ ୨୦୧୭ ବିଶ୍ବକପ୍‌ର ସେମିଫାଇନାଲ୍‌ରେ କଙ୍ଗାରୁ ଦଳକୁ ଭାରତ ୩୬ ରନ୍‌ରେ ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲା। ସେଠାରେ ଅବଶ୍ୟ ଇଂଲଣ୍ଡଠୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା। ଅଧିନାୟିକା ହର୍ମନପ୍ରୀତ୍ କୌର ସେହି ମ୍ୟାଚ୍‌ରେ ୧୧୫ ବଲ୍‌ରୁ ଅବିଶ୍ବସନୀୟ ଭାବେ ୧୭୧* ରନ୍‌ର ପାଳି ଖେଳି ଭାରତକୁ ଫାଇନାଲ୍‌କୁ ନେବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଗୁରୁବାର ଭାରତୀୟ ଦଳ ତାଙ୍କଠାରୁ ସେହି ପାଳିର ପୁନରାବୃତ୍ତି ଆଶାରେ ରହିବ। ଓପନର୍ ପ୍ରତୀକା ରାୱଲ୍ ଆହତ ହୋଇ ବାଦ୍ ପଡ଼ିବା ପରେ ସେମିଫାଇନାଲ୍ ପୂର୍ବରୁ ଭାରତୀୟ ଦଳରେ ସାମିଲ ହୋଇଥିବା ଶେଫାଳି ବର୍ମାଙ୍କ ପାଇଁ ଏହି ମ୍ୟାଚ୍ ଅଗ୍ନିପରୀକ୍ଷା ସଦୃଶ ହେବ। ଦଳକୁ ହଠାତ୍ ଆସି ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ଖେଳିବା ତାଙ୍କ ପାଇଁ ନିଶ୍ଚିତ ଭାବେ ବଡ଼ ଆହ୍ବାନ ହେବ। ତେବେ ବିଶ୍ବମାନ୍ୟତାର ପ୍ରଥମ ସ୍ଥାନରେ ଥିବା ଅଷ୍ଟ୍ରେଲିଆକୁ ତୃତୀୟ ସ୍ଥାନରେ ଥିବା ଭାରତ ଘରୋଇ ପରିବେଶରେ ଝଟ୍‌କା ଦେଇ ଦ୍ବିତୀୟ ଥର ପାଇଁ ଫାଇନାଲ୍ ଖେଳିବ ବୋଲି ପ୍ରଶଂସକ ଦୃଢ଼ ଆଶା ପୋଷଣ କରିଛନ୍ତି। ତେବେ ପୂର୍ବ ପରିସଂଖ୍ୟାନ ଦୃଷ୍ଟିରୁ ଅଷ୍ଟ୍ରେଲିଆ ଭାରତଠାରୁ ଢେର୍‌ ଆଗରେ ରହିଛି। ଉଭୟ ଦଳ ୬୦ ଦିନିକିଆରେ ପରସ୍ପରର ମୁକାବିଲା କରିଥିଲା ବେଳେ ଅଷ୍ଟ୍ରେଲିଆ ୪୯ ଏବଂ ଭାରତ କେବଳ ୧୧ ମ୍ୟାଚ୍ ଜିତିଛି। ପୁଣି ଅଷ୍ଟ୍ରେଲିଆ ଚଳିତ ବିଶ୍ବକପ୍‌ରେ ଚମତ୍କାର ପ୍ରଦର୍ଶନ କରି ପଏଣ୍ଟ୍ ଟେବୁଲ୍‌ର ପ୍ରଥମ ସ୍ଥାନରେ ରହି ସେମିଫାଇନାଲ୍‌କୁ ଯାଇଛି। ଅନ୍ୟପକ୍ଷରେ ଭାରତ ଚତୁର୍ଥ ସ୍ଥାନରେ ରହି ଏହି ପର୍ଯ୍ୟାୟରେ ଖେଳିବାକୁ ଟିକେଟ ହାସଲ କରିଛି। ନବି ମୁମ୍ବାଇର ଡିୱାଇ ପାଟିଲ ପିଚ୍ ସବୁବେଳେ ବ୍ୟାଟିଂ ଉପଯୋଗୀ ରହୁଥିବାରୁ ଆସନ୍ତାକାଲି ମଧ୍ୟ ଏକ ହାଇସ୍କୋରିଂ ମ୍ୟାଚ୍ ଦେଖିବାକୁ ମିଳିବାର ସମ୍ଭାବନା ଅଧିକ।

Related Post