Breaking News
ଦେଶ- ବିଦେଶ

ଭାରତର ଲଗାତାର ବିଜୟ: ହର୍ମନପ୍ରୀତ୍‌ଙ୍କ ଯୁଗଳ ଗୋଲ୍‌ ଜାପାନକୁ ହରାଇଲା

ଭାରତର ଲଗାତାର ବିଜୟ: ହର୍ମନପ୍ରୀତ୍‌ଙ୍କ ଯୁଗଳ ଗୋଲ୍‌ ଜାପାନକୁ ହରାଇଲା

ରାଜଗିର୍: ବିହାରର ରାଜଗିର୍‌ଠାରେ ଚାଲିଥିବା ଏସିଆ କପ୍ ହକି ପ୍ରତିଯୋଗିତାରେ ଭାରତ ଲଗାତାର ଦ୍ବିତୀୟ ବିଜୟ ହାସଲ କରିଛି। ଅଧିନାୟକ ହର୍ମନପ୍ରୀତ୍ ସିଂହ (୫, ୪୬ ମିନିଟ୍) ପୁଣି ଥରେ ଚମତ୍କାର ପ୍ରଦର୍ଶନ କରି ଦୁଇଟି ପ୍ରଭାବୀ ଗୋଲ୍ ଦେବା ପରେ ଭାରତ ରବିବାର ଜାପାନକୁ ୩-୨ ଗୋଲ୍‌ରେ ପରାସ୍ତ କରିଛି। ଚୀନ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ହ୍ୟାଟ୍ରିକ୍ ଗୋଲ୍ ଦେଇଥିବା ହର୍ମନପ୍ରୀତ୍ ଦୁଇଟି ମ୍ୟାଚ୍‌ରେ ବ୍ୟକ୍ତିଗତ ଭାବେ ୫ଟି ଗୋଲ୍ ଦେଇ ନିଜ ବଳିଷ୍ଠ ନେତୃତ୍ବ ଦକ୍ଷତାର ପରିଚୟ ଦେଇଛନ୍ତି। ଭାରତ ପାଇଁ ଅନ୍ୟ ଗୋଲ୍‌ଟି ମନଦୀପ ସିଂହ (୪ ମିନିଟ୍) ଦେଇଛନ୍ତି। ଅନ୍ୟପକ୍ଷରେ ଜାପାନର ଦୁଇଟି ଯାକ ଗୋଲ୍ କୱାବେ କୋଶାଇ (୩୮, ୫୯ ମିନିଟ୍) ଦେଇଛନ୍ତି। ଏହି ସଂଘର୍ଷପୂର୍ଣ୍ଣ ବିଜୟ ସହ ଭାରତ ସୁପର-୪ ବା ସେମିଫାଇନାଲ୍‌ରେ ଏକପ୍ରକାର ସ୍ଥାନ ସୁରକ୍ଷିତ କରି ନେଇଛି। ଘରୋଇ ଦଳ ତା’ର ଶେଷ ତଥା ତୃତୀୟ ଲିଗ୍ ମ୍ୟାଚ୍ ତିନି ଦଶନ୍ଧି ପରେ ଏସିଆ କପ୍ ଖେଳୁଥିବା କାଜାଖସ୍ତାନ ବିପକ୍ଷରେ ଖେଳିବେ। ତେବେ ଲଗାତାର ଦ୍ବିତୀୟ ମ୍ୟାଚ୍ ପାଇଁ ଭାରତୀୟ ରକ୍ଷଣଭାଗ ଆଶାଜନକ ପ୍ରଦର୍ଶନ କରି ନପାରିବା ପ୍ରଶିକ୍ଷକ କ୍ରେଗ୍ ଫୁଲଟନ୍‌ଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଆସନ୍ତାବର୍ଷର ବିଶ୍ବକପ୍ ଲାଗି ଯୋଗ୍ୟତା ଅର୍ଜନ କରିବା ଲାଗି ଏହି ପ୍ରତିଯୋଗିତା ଜିତିବା ଭାରତ ପାଇଁ ଏକାନ୍ତ ଅପରିହାର୍ଯ୍ୟ ଥିଲା ବେଳେ ଆଗାମୀ ମ୍ୟାଚ୍‌ଗୁଡ଼ିକରେ ଦଳକୁ ଏହି ଦୁର୍ବଳତା ଦୂର କରିବାକୁ ପଡ଼ିବ ବୋଲି ସ୍ବୀକାର କରିଛନ୍ତି ସେ। ଭାରତ ଏହି ମ୍ୟାଚ୍‌କୁ ସମସ୍ତଙ୍କ ପସନ୍ଦର ଦଳ ଭାବେ ପଡ଼ିଆକୁ ଓହ୍ଲାଇଥିଲା। ପ୍ରଥମ କ୍ବାର୍ଟରର ଚତୁର୍ଥ ଓ ପଞ୍ଚମ ମିନିଟ୍‌ରେ ଦୁଇଟି ଗୋଲ୍ ଦେଇ ହର୍ମନପ୍ରୀତ୍‌ଙ୍କ ଦଳ ଏକଥାର ସମ୍ମାନ ବି ରଖିଥିଲା। ମନଦୀପ ସିଂହ ଏକ ସୁନ୍ଦର ଫିଲ୍‌ଡ ଗୋଲ୍ ଦେଇ ଭାରତକୁ ଆଗୁଆ କରିବା ପରେ ହର୍ମନପ୍ରୀତ୍ ପରବର୍ତ୍ତୀ ମିନିଟ୍‌ରେ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ରୂପାନ୍ତର କରି ଜାପାନ ଉପରେ ଅସହ୍ୟ ଚାପ ସୃଷ୍ଟି କରିଥିଲେ। ଏହା ସତ୍ତ୍ବେ ଜାପାନ ଭାରତୀୟ ରକ୍ଷଣଭାଗକୁ ଆକ୍ରମଣ କରିବା ଜାରି ରଖିଥିଲା। ୩୮ମିନିଟ୍‌ରେ ଯାହାର ଫଳ ଏହି ଦଳକୁ ମିଳିଥିଲା। କୋଶାଇଙ୍କ ଫିଲ୍‌ଡ ଗୋଲ୍‌ରେ ଜାପାନ ଗୋଲ୍‌ ବ୍ୟବଧାନକୁ ୨-୧କୁ କମାଇ ଦେଇଥିଲା। ତେବେ ୪୬ ମିନିଟ୍‌ରେ ହର୍ମନପ୍ରୀତ୍‌ଙ୍କ ଆଉ ଏକ ପେନାଲ୍ଟି କର୍ଣ୍ଣର ଗୋଲ୍ ବଳରେ ଭାରତ ୩-୧ରେ ଆଗୁଆ ହେବା ସହ ମ୍ୟାଚ୍‌କୁ ପୂରା ନିୟନ୍ତ୍ରଣକୁ ନେଇଯାଇଥିଲା। ତେବେ ଖେଳ ଶେଷ ହେବାର ଗୋଟିଏ ମିନିଟ୍ ପୂର୍ବରୁ ଭାରତୀୟ ରକ୍ଷଣଭାଗର କୋହଳ ମନୋଭାବକୁ ଠଉରାଇ କୋଶାଇ ବ୍ୟକ୍ତିଗତ ଭାବେ ଦ୍ବିତୀୟ ଫିଲ୍‌ଡ ଗୋଲ୍ ଦେବା ପରେ ଭାରତର ବିଜୟ ବ୍ୟବଧାନ ୩-୨କୁ କମିଯାଇଥିଲା। ଭାରତୀୟ ଗୋଲ୍‌ରକ୍ଷକ କ୍ରିଶନ ବାହାଦୁର ପାଠକ ରବିବାର ଜାପାନ ବିପକ୍ଷରେ ୧୫୦ ଅନ୍ତର୍ଜାତୀୟ ହକି ମ୍ୟାଚ୍ ଖେଳିବାର ମାଇଲ୍‌ଖୁଣ୍ଟ ଛୁଇଁଛନ୍ତି। ପଞ୍ଜା‌ବର କପୁରତାଲା ବାସିନ୍ଦା‌ ୨୮ବର୍ଷୀୟ ପାଠକଙ୍କୁ ଏଥିଲାଗି ହକି ଇଣ୍ଡିଆ ସମ୍ବର୍ଦ୍ଧିତ କରିଛି। ଭାରତ-ଜାପାନ ମ୍ୟାଚ୍ ଅବସରରେ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଓ ମହାସଚିବ ଭୋଳାନାଥ ସିଂହ ସମ୍ମାନିତ କରିଥି‌ଲେ। କିଂବଦନ୍ତି ଗୋଲ୍‌ରକ୍ଷକ ପିଆର୍‌ ଶ୍ରୀଜେଶଙ୍କ ଉତ୍ତରାଧିକାରୀ ମାନ୍ୟତା ଲାଭ କରିଥିବା ପାଠକ ୨୦୧୮ ମସିହାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବରିଷ୍ଠ ବର୍ଗରେ ଅନ୍ତର୍ଜାତୀୟ କ୍ୟାରିୟର୍ ଆରମ୍ଭ କରିଥିଲେ। ସେବେଠାରୁ ଭାରତୀୟ ହକି ଦଳର ସେ ନିୟମତ ସଦସ୍ୟ ରହି ଆସିଥିଲା ବେଳେ ଏକାଧିକ ପ୍ରତିଯୋଗିତାରେ ଭାରତକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି। ଶ୍ରୀଜେଶଙ୍କ ଉପସ୍ଥିତି ସତ୍ତ୍ବେ କଠିନ ପରିଶ୍ରମ ଓ ଅପୂର୍ବ ଏକାଗ୍ରତା ବଳରେ ନିଜ ପାଇଁ ଭାରତୀୟ ହକିରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ୧୫୦ ମ୍ୟାଚ୍‌ରେ ଭାରତର ପ୍ରତିନିଧିତ୍ବ କରିବା ଗର୍ବ ଓ ଗୌରବର ବିଷୟ ବୋଲି ଉଲ୍ଲସିତ ପାଠକ ନିଜ ପ୍ରତିକ୍ରିୟାରେ କହିଛନ୍ତି।

Related Post