Breaking News
ଦେଶ- ବିଦେଶ

ଅଦାଲତକୁ ଟ୍ରମ୍ପଙ୍କ ମାନ୍ଦାବସ୍ଥା ଚେତାବନୀ

ଅଦାଲତକୁ ଟ୍ରମ୍ପଙ୍କ ମାନ୍ଦାବସ୍ଥା ଚେତାବନୀ

ୱାସିଂଟନ: ବିଶ୍ବର ୬୦ରୁ ଅଧିକ ଦେଶ ଉପରେ ପାଲଟା ଶୁଳ୍କ ଲାଗୁ ହେବାର କିଛି ଘଣ୍ଟା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଦେଶର ଅଦାଲତଗୁଡ଼ିକୁ ଏକପ୍ରକାର ଚେତାବନୀ ଦେଇଛନ୍ତି। ଉଗ୍ର ବାମପନ୍ଥୀ ଅଦାଲତ ଯଦି ତାଙ୍କର ନିଷ୍ପତ୍ତିକୁ ବଦଳାଇ ଦିଅନ୍ତି ତା’ହେଲେ ୧୯୨୯ ମସିହା ଭଳି ଅର୍ଥନୀତିରେ ମହା ମାନ୍ଦାବସ୍ଥା ପୁନର୍ବାର ଦେଖିବାକୁ ମିଳିବ। ଟ୍ରମ୍ପ କହିଛନ୍ତି, ଷ୍ଟକ୍‌ ମାର୍କେଟ ଉପରେ ଶୁଳ୍କର ବଡ଼ ସକାରାତ୍ମକ ପ୍ରଭାବ ପଡ଼ିଛି। ପ୍ରତିଦିନ ସେୟାର ବଜାର ନୂଆ ରେକର୍ଡ କରୁଛି। ଆମେରିକାର ରାଜକୋଷକୁ ଶତାଧିକ ବିଲିଅନ ଡଲାର ଆଗମନ ହେଉଛି । ଟ୍ରମ୍ପ ତାଙ୍କ ସାମାଜିକ ଗଣମାଧ୍ୟମ ଟ୍ରୁଥ୍‌ ସୋସିଆଲର ପୋଷ୍ଟ୍‌ରେ ଯୁକ୍ତି ବାଢ଼ିଛନ୍ତି ଯେ ଆମେରିକାର ସଂପତ୍ତି ଏବଂ ଶକ୍ତିକୁ ସୁରକ୍ଷିତ କରି ରଖିବାକୁ ହେଲେ ଶୁଳ୍କ ଅପରିହାର୍ଯ୍ୟ ଥିଲା। ଯଦି ବିରୋଧୀମାନେ ଏହାକୁ ବିରୋଧ କରିବାର ଥିଲା ତା’ହେଲେ ପୂର୍ବରୁ ଏହା କରିପାରିଥାନ୍ତେ। କିନ୍ତୁ ଏଥିରୁ ଅର୍ଥନୈତିକ ଲାଭ ମିଳିବା ପରେ ବିରୋଧ କରିବା ଉଚିତ ନୁହେଁ। ଆମ ଦେଶ ସଫଳତା ଏବଂ ମହାନତାର ହକ୍‌ଦାର ବୋଲି ଟ୍ରମ୍ପ ତାଙ୍କ ପୋଷ୍ଟ୍‌ରେ କହିଛନ୍ତି। ଟ୍ରମ୍ପ ଲଗାଇଥିବା ଶୁଳ୍କକୁ ବି‌ଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଏହାଦ୍ବାରା ଦରଦାମ ବଢ଼ିବ, ନିଯୁକ୍ତି ମନ୍ଥର ହେବ ଏବଂ ଆମେରିକା ସହିତ ବାଣିଜ୍ୟ ସଂପର୍କ ଖରାପ ହେବ ବୋଲି କୁହାଯାଉଥିବାବେଳେ ଟ୍ରମ୍ପ ଏଭଳି ମନ୍ତବ୍ୟ ଦେଇଛନ୍ତି।  

Related Post