Breaking News
ବିଶେଷ

ପଥଚାରୀଙ୍କ ପାଇଁ ‘ସ୍ମାର୍ଟ ବେଞ୍ଚ’: ଆଲୋକ ଦେବ, ଚାର୍ଜିଂ ହେବ ଖରାରେ ମୁଣ୍ଡକୁ ଛାଇ ବି ଦେବ

ପଥଚାରୀଙ୍କ ପାଇଁ ‘ସ୍ମାର୍ଟ ବେଞ୍ଚ’: ଆଲୋକ ଦେବ, ଚାର୍ଜିଂ ହେବ ଖରାରେ ମୁଣ୍ଡକୁ ଛାଇ ବି ଦେବ

ଭୁବନେଶ୍ବର: ସୌରଶକ୍ତିର ଉପଯୋଗ ଉପରେ ବିଏମ୍‌ସି ଓ ବିଡିଏ ଗୁରୁତ୍ବ ଦେବା ଆରମ୍ଭ କରିଛନ୍ତି। ପୂର୍ବରୁ ସୌରଚାଳିତ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ କରି ବିଏମ୍‌ସି ଉଦାହରଣ ସୃଷ୍ଟି କରିଛି। ଏବେ ସୌରଚାଳିତ ସ୍ମାର୍ଟ ବେଞ୍ଚ୍‌ ସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଛି। ପାଇଲଟ୍‌ ପ୍ରକଳ୍ପ ଭାବେ ଏହାକୁ ପୂର୍ଣ୍ଣାଙ୍ଗ ରୂପଦେବାକୁ ବିଡିଏ ଓ ବିଏମ୍‌ସି ଯୋଜନା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ମାଷ୍ଟରକ୍ୟାଣ୍ଟିନ ଓ ସହିଦନଗରରେ ଦୁଇଟି ସୌରଚାଳିତ ସ୍ମାର୍ଟ ବେଞ୍ଚ ପ୍ରତିଷ୍ଠା କରାଯାଇଛି। ଏଠାରେ ଲୋକେ ଖରା ବର୍ଷାରୁ ରକ୍ଷା ପାଇବାକୁ ବିଶ୍ରାମ ନେଇ ପାରୁଛନ୍ତି। ଏଥିସହ ମୋବାଇଲ୍‌ ଚାର୍ଜିଂ ବି କରି ପାରୁଛନ୍ତି ଏବଂ ଦିନ ବେଳାରୁ ସଞ୍ଚିତ ସୌରଶକ୍ତି ରାତିରେ ଆଲୋକ ଦେଉଛି। ଦୁଇଟି ଭିନ୍ନ ଡିଜାଇନ୍‌ର ସ୍ମାର୍ଟ ବେଞ୍ଚ ପରୀକ୍ଷାମୂଳକ ଭାବେ ସ୍ଥାପନ କରାଯାଇଛି। ଏହି ସ୍ମାର୍ଟ ବେଞ୍ଚ ଉପରେ ଛାୟାପ୍ରଦ ସେଡ୍‌ ବା ଛାତ ରହିଛି, ଯେଉଁଥିରେ ସୋଲାର୍‌ ପ୍ୟାନେଲ୍‌ ଖଞ୍ଜାଯାଇଛି। ଦିନରେ ଏହା ସୂର୍ଯ୍ୟ କିରଣରେ ଚାର୍ଜିଂ ହେବ। ଗୋଟିଏ ଘର ଓ ଅନ୍ୟଟି ସେଡ୍‌ ଆକୃତିର। ବିଡିଏ କରିଥିବା ସ୍ମାର୍ଟ ବେଞ୍ଚ ସେଡ୍‌ ଆକୃତିର ହୋଇଥିବାବେଳେ ବିଏମ୍‌ସି ଘର ଆକୃତିର କରିଛି। ଉଭୟ ସ୍ମାର୍ଟ ବେଞ୍ଚରେ ଦୁଇଜଣ ବସି ପାରିବେ। ଏହାକୁ ଏଭଳି ରୂପ ଦିଆଯାଇଛି ଯେ ଦିନ ଅପେକ୍ଷା ରାତିର ସୌନ୍ଦର୍ଯ୍ୟରେ ଲୋକଙ୍କ ଆଖି ଲାଗିଯିବ। ଆଲୋକୀକରଣ ପାଇଁ ଏଥିରେ ଏଲ୍‌ଇଡି ଲାଇଟ୍‌ ସବୁ ଲଗାଯାଇଛି। ସେପଟେ ଏକାଧିକ ମୋବାଇଲ୍‌ ଚାର୍ଜିଂ ପଏଣ୍ଟ ରହିଛି। ପରୀକ୍ଷାମୂଳକ ଭାବେ ବସାଯାଇଥିବା ସ୍ମାର୍ଟ ବେଞ୍ଚକୁ ବି ଲୋକେ ବେଶ୍‌ ଆଦର କଲେଣି। ସଂଧ୍ୟାରେ ଏଠାରେ ବସିବା ପାଇଁ ଯୁବପିଢ଼ିଙ୍କ ଭିତରେ ଯେଭଳି ପ୍ରତିଯୋଗିତା ଚାଲିଛି। ବିଏମ୍‌ସି ଡେପୁଟି କମିସନର୍‌ ଏନ୍‌. ଗଣେଶ ବାବୁ କହିଛନ୍ତି, ଅକ୍ଷୟଶକ୍ତିର ଉପଯୋଗ ପୂର୍ବକ ପରୀକ୍ଷାମୂଳକ ଭାବେ ଏହି ଦୁଇ ସ୍ମାର୍ଟ ବେଞ୍ଚ ବସାଯାଇଥିଲା।

Related Post