Breaking News
ବିଶେଷ

ଭୁଲିଗଲା ପ୍ରଶାସନ, ଭଙ୍ଗାଘରେ ଜୀବନ: ସ୍ବାଭିମାନ ଅଞ୍ଚଳର ଆଇରନ୍‌ ଲେଡି ଚନ୍ଦ୍ରମା ଶଯ୍ୟାଶାୟୀ

ଭୁଲିଗଲା ପ୍ରଶାସନ, ଭଙ୍ଗାଘରେ ଜୀବନ: ସ୍ବାଭିମାନ ଅଞ୍ଚଳର ଆଇରନ୍‌ ଲେଡି ଚନ୍ଦ୍ରମା ଶଯ୍ୟାଶାୟୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାସ୍ବାଭିମାନ ଅଞ୍ଚଳର ପୂର୍ବତନ ସରପଞ୍ଚ ଲକ୍ଷ୍ମୀବାଇ ଚନ୍ଦ୍ରମା ଦିନେ ଜୀବନକୁ ବାଜି ଲଗାଇ ଅଞ୍ଚଳର ବିକାଶଧାରାକୁ ବାଟ କଢ଼ାଇଥିଲେ। ଯେତେବେଳେ ନକ୍ସଲ ଭୟରେ ସାରା ଅଞ୍ଚଳ ଥରହର ଥିଲା, ଚନ୍ଦ୍ରମା ନକ୍ସଲଙ୍କ ବି‌ରୋଧରେ ହୁଙ୍କାର ଦେଇ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ସମର୍ଥନ କରିଥିଲେ। ଏଥିପାଇଁ ତାଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିଛି। ନକ୍ସଲଙ୍କ ପ୍ରଜାକୋର୍ଟରେ ୩ ଥର ଦଣ୍ଡିତ ହେବା ସହ ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ନକ୍ସଲରାଜ୍‌ ହଟିଲା ଓ ବିକାଶଧାରାକୁ ଫେରିଲା ସ୍ବାଭିମାନ ଅଞ୍ଚଳ। ହେଲେ ନକ୍ସଲଙ୍କ ବିରୋଧରେ ଲଢ଼ି ବିକାଶକୁ ବାଟ କଢ଼ାଇଥିବା ଚନ୍ଦ୍ରମା ଏବେ ପକ୍ଷାଘାତରେ ପୀଡ଼ିତ ହୋଇ ଶଯ୍ୟାଶାୟୀ। ଚିତ୍ରକୋଣ୍ଡାର ଏକ ଗଳିରେ ଭଙ୍ଗାଦଦରା ଘରେ ଅତ୍ୟନ୍ତ ଦୟନୀୟ ଭାବେ ଚନ୍ଦ୍ରମାଙ୍କ ଦିନ କଟୁଛି। ତାଙ୍କୁ ଏଯାବତ୍‌ କୌଣସି ସରକାରୀ ସହାୟତା ମିଳିନାହିଁ। ଚିକିତ୍ସା ପାଇଁ ଆର୍ଥିକ ପ୍ରୋତ୍ସାହନ ଯୋଗାଇବାରେ ବିଫଳ ହୋଇଛି ପ୍ରଶାସନ। ଶଯ୍ୟାଶାୟୀ ଚନ୍ଦ୍ରମା ଠିକ ଭାବରେ କଥା ହୋଇ ପାରୁନାହାନ୍ତି। ୨୦୧୧ ପୂର୍ବରୁ ସ୍ବାଭିମାନ ଅଞ୍ଚଳକୁ ନିଜ କବ୍‌ଜାକୁ ନେଇ ଯାଇଥିଲେ ନକ୍ସଲ। ତତ୍କାଳୀନ ଜିଲ୍ଲାପାଳ ଭିନିଲ କ୍ରିଷ୍ଣାଙ୍କୁ ଅପହରଣ ସହିତ ଅନେକ ବଡ଼ ହିଂସା ଘଟାଇଥିଲେ। ନକ୍ସଲଙ୍କ କାନୁନ ଚାଲୁଥିବା ସ୍ବାଭିମାନ ଅଞ୍ଚଳର ବିକାଶ ପାଇଁ ସେତେବେଳେ ଆଗକୁ ଆସିଥିଲେ ଚନ୍ଦ୍ରମା। ନକ୍ସଲଙ୍କ ବିରୋଧ ସତ୍ତ୍ବେ ୨୦୧୨ ପଞ୍ଚାୟତ ନିର୍ବାଚନରେ ଅଣ୍ଡ୍ରାପାଲୀ ସରପଞ୍ଚ ଭାବେ ଲଢ଼ି ବିଜୟୀ ହୋଇଥିଲେ। ନକ୍ସଲଙ୍କ ଧମକକୁ ଖାତିର ନକରି ରାସ୍ତା, ପାଣି, ସ୍ବାସ୍ଥ୍ୟସେବାର ବିକାଶ ସହ ହିତାଧିକାରୀଙ୍କୁ ଭତ୍ତା, ଆବାସ ପ୍ରଦାନ ଯୋଜନାର ନେତୃତ୍ବ ନେଇଥିଲେ। ନକ୍ସଲ ଚନ୍ଦ୍ରମାଙ୍କୁ କାବୁ କରି ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ବହୁ ଦିନ ଧରି ମାଲକାନଗିରି ମେଡିକାଲରେ ଚିକିତ୍ସିତ ହୋଇ ଫେରିଥିଲେ ଚନ୍ଦ୍ରମା। ନକ୍ସଲ ଚନ୍ଦ୍ରମାଙ୍କୁ ଧମକ ଦେଇଥିଲେ, ଅଣ୍ଡ୍ରାପାଲୀ ଆସିଲେ ଏଠାରୁ ତାଙ୍କ ଶବ ଉଠିବ। ତେଣୁ ସ୍ବାମୀ ଓ ପରିବାର ଲୋକ ଚନ୍ଦ୍ରମାଙ୍କୁ ଆଉ ଅଣ୍ଡ୍ରାପାଲୀ ନ ନେଇ ଚିତ୍ରକୋଣ୍ଡାରେ ରହିଥିଲେ। ଏବେ ଭଙ୍ଗା ଆଜ୍‌ବେଷ୍ଟସ୍‌ ଘରେ ସ୍ବାମୀ ଧନୀ ଓ ପୁଅଙ୍କ ସହ ରହୁଛନ୍ତି ଚନ୍ଦ୍ରମା। ଘର ମରାମତି କରି ପାରୁନଥିବାରୁ ବର୍ଷା ହେଲେ ଆଣ୍ଠୁଏ ପାଣି ଜମୁଛି। ସ୍ବାମୀ ଧନୀ କୁଲି କାମ କରିବା ସହ କାଠ ହାଣି ବିକ୍ରି କରି ପରିବାର ଚଳାଉଛନ୍ତି। ପୁଅ ଦଶମ ପରେ ପାଠଛାଡ଼ି ଦେଇଥିବା ବେଳେ ଦୁଇ ଝିଅଙ୍କର ଅକାଳ ବିୟୋଗ ହୋଇଛି।

Related Post