Breaking News
ବିଶେଷ

ମୟୂରଭଞ୍ଜରେ ବସନ୍ତ ଋତୁ ଉଭାନ: ଫେବ୍ରୁଆରିରେ ତାପମାତ୍ରା ୩୬.୪ ଡିଗ୍ରି, ୧୫ ବର୍ଷରେ ବଢ଼ିଲାଣି ୦.୮ ଡିଗ୍ରି

ମୟୂରଭଞ୍ଜରେ ବସନ୍ତ ଋତୁ ଉଭାନ: ଫେବ୍ରୁଆରିରେ ତାପମାତ୍ରା ୩୬.୪ ଡିଗ୍ରି, ୧୫ ବର୍ଷରେ ବଢ଼ିଲାଣି ୦.୮ ଡିଗ୍ରି

ବାରିପଦା: ମୟୂରଭଞ୍ଜରେ ବସନ୍ତ ଋତୁ ଉଭାନ ହୋଇଯାଇଛି। ଏବେ ବସନ୍ତ ଋତୁରେ ମୃଦୁ ମଳୟରେ ମନ ପ୍ରଫୁଲ୍ଲିତ ହେବା କଥା, କିନ୍ତୁ ଗ୍ରୀଷ୍ମ କଲବଲ କଲାଣି। ଚଳିତବର୍ଷ ଜାନୁଆରି ଶେଷ ସପ୍ତାହରେ ଶୀତ ସରିବା ମାତ୍ରେ ଫେବ୍ରୁଆରି ପ୍ରଥମ ସପ୍ତାହରୁ ଗ୍ରୀଷ୍ମ ଅନୁଭୂତ ହେଉଛି। ଗତ ୧୫ ବର୍ଷ ମଧ୍ୟରେ ଜିଲ୍ଲାର ତାପମାତ୍ରା ପ୍ରାୟ ୦.୮ ଡିଗ୍ରି ବୃଦ୍ଧି ପାଇଛି। ଯାହା ପରିବେଶବିତ୍‌ଙ୍କ ସମେତ ଜିଲ୍ଲାବାସୀଙ୍କୁ ଚିନ୍ତାରେ ପକାଇଛି।   ସୂଚନା ମୁତାବକ, ଫେବ୍ରୁଆରି ମାସର ଶେଷ ସପ୍ତାହରେ ବାରିପଦାରେ ତାପମାତ୍ରା ୩୭ ଡିଗ୍ରି ରହିଛି। ଆଗାମୀ ୧୦ ଦିନ ମଧ୍ୟରେ ଏହା ବୃଦ୍ଧି ପାଇବାର ଆଶଙ୍କା ରହିଛି। ପୂର୍ବରୁ ଫେବ୍ରୁଆରି ଶେଷ ଓ ମାର୍ଚ୍ଚ ପ୍ରଥମ ସପ୍ତାହ ଯାଏଁ ଶୀତ ଅନୁଭୂତ ହେଉଥିଲା। ଚଳିତମାସରେ ପଶ୍ଚିମାଝଡ଼ ପ୍ରବାହ ଯୋଗୁଁ ୪ ଦିନ ବର୍ଷା ହୋଇଥିବା ବେଳେ ତାପମାତ୍ରା କମ୍ ରହିଥିଲା। ଚଳିତବର୍ଷ ଫେବ୍ରୁଆରିରେ ସର୍ବାଧିକ ତାପମାତ୍ରା ୩୬.୪ ଡିଗ୍ରି ରହିଥିବା ବେଳେ ଗତବର୍ଷ ୩୪.୫ ଡିଗ୍ରି ଓ ତା’ର ପୂର୍ବବର୍ଷ ମଧ୍ୟ ସେହିପରି ତାପମାତ୍ରା ରହିଥିଲା। ଗତ ୧୫ ବର୍ଷରେ ବାରିପଦାରେ ହାରାହାରି ୦.୮ ଡିଗ୍ରି ତାପମାତ୍ରା ବୃଦ୍ଧି ପାଇଛି। ୨୦୧୦ରୁ ୨୦୧୯ ଯାଏଁ ମାର୍ଚ୍ଚର ହାରାହାରି ସର୍ବାଧିକ ତାପମାତ୍ରା ୩୫.୪୮ ଡିଗ୍ରି ରହିଥିବାବେଳେ ଏବେ ଏହା ଅଧିକ ହେଉଛି। 

Related Post