Breaking News
ବିଶେଷ

ଭାରତ ଯେକୌଣସି ଦେଶରୁ ତୈଳ କିଣିବାକୁ ମୁକ୍ତ: ରୁଷ୍‌-ଭେନେଜୁଏଲାରୁ ତୈଳ କିଣିବାକୁ ନେଇ ଟ୍ରମ୍ପଙ୍କ ଦାବି ପରେ କ୍ରେମଲିନ୍‌ ପକ୍ଷରୁ ବୟାନ ଜାରି

ଭାରତ ଯେକୌଣସି ଦେଶରୁ ତୈଳ କିଣିବାକୁ ମୁକ୍ତ: ରୁଷ୍‌-ଭେନେଜୁଏଲାରୁ ତୈଳ କିଣିବାକୁ ନେଇ ଟ୍ରମ୍ପଙ୍କ ଦାବି ପରେ କ୍ରେମଲିନ୍‌ ପକ୍ଷରୁ ବୟାନ ଜାରି

ମସ୍କୋ : ଆମେରିକା ସହିତ ଭାରତର ବାଣିଜ୍ୟ ଚୁକ୍ତି ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ରୁଷ୍‌ଠାରୁ ଆଉ ତୈଳ କିଣିବନି ବୋଲି କହିଥିଲେ। ଟ୍ରମ୍ପଙ୍କ ବୟାନ ପରେ ରୁଷ୍‌ ସ୍ପଷ୍ଟ କରିଛି ଯେ, ଭାରତ ଯେକୌଣସି ଦେଶରୁ ତୈଳ କିଣିବାକୁ ସମ୍ପୂର୍ଣ୍ଣ ମୁକ୍ତ। ଭାରତ ଅନ୍ୟ କୌଣସି ସୂତ୍ରରୁ ତୈଳ ଆଣିବାର ପ୍ରୟାସ ନୂଆ ନୁହେଁ କି ମସ୍କୋ ବିରୋଧରେ ନୁହେଁ। ଟ୍ରମ୍ପ କହିଥିଲେ, ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷରୁ ତୈଳ କିଣିବା ବନ୍ଦ କରିବାକୁ ଏବଂ ଆମେରିକା ଏବଂ ସମ୍ଭବତଃ ଭେନେଜୁଏଲାରୁ ଅଶୋଧିତ ତୈଳ କିଣିବାକୁ ରାଜି ହୋଇଛନ୍ତି। ଟ୍ରମ୍ପଙ୍କ ଦାବି ପରେ ପେସକୋଭଙ୍କ ଏହି ବୟାନ ଆସିଛି। ଏକ ସାମ୍ବାଦିକ ସମ୍ମିଳନୀରେ କ୍ରେମଲିନ୍‌ ପ୍ରବକ୍ତା ଡିମିତ୍ରି ପେସ୍‌କୋଭ କହିଛନ୍ତି, ଆମ ସହିତ ଅନ୍ୟ ସମସ୍ତ ଆନ୍ତର୍ଜାତିକ ଶକ୍ତି ବିଶେଷଜ୍ଞ ଜାଣିଛନ୍ତି ‌ଯେ, ରୁଷ୍‌ କେବେବି ଭାରତ ପାଇଁ ତୈଳ ଏବଂ ପେଟ୍ରୋଲିୟମ ଉତ୍ପାଦର ଏକମାତ୍ର ଯୋଗାଣକାରୀ ନଥିଲା। ଭାରତ ପୂର୍ବରୁ ମଧ୍ୟ ତୈଳ ଏବଂ ପେଟ୍ରୋଲିୟମ ସାମଗ୍ରୀ ଅନ୍ୟ ମାଧ୍ୟମରୁ କିଣୁଥିଲା। ସେଥିପାଇଁ ଏହା ଆମ ପାଇଁ କିଛି ନୂଆ କଥା ନୁହେଁ। ପେସ୍‌କୋଭ କହିଥିଲେ, ରୁଷ୍‌ଠାରୁ ତୈଳ କ୍ରୟ ବନ୍ଦ କରିବା ସମ୍ପର୍କରେ ମସ୍କୋ ଭାରତଠାରୁ କୌଣସି ସରକାରୀ ସୂଚନା ପାଇନାହିଁ। ସେ ଦିନକ ପୂର୍ବରୁ ମଧ୍ୟ ଏହି କଥା ଦୋହରାଇଥିଲେ ଓ କହିଥିଲେ ଯେ ନୂଆଦିଲ୍ଲୀ ପକ୍ଷରୁ ଏନେଇ କୌଣସି ସଙ୍କେତ ମିଳିନାହିଁ।

Related Post