Breaking News
ବଡ଼ ଖବର

ଅପରେସନ୍‌ ଗୋରକ୍ଷା: ଗୋରୁ ମାଫିଆଙ୍କ ଘରେ ଚଢ଼ଉ, ଠାବ ହେଲାଣି ୪ କୋଟି ୪୦ ଲକ୍ଷ ଟଙ୍କା

ଅପରେସନ୍‌ ଗୋରକ୍ଷା: ଗୋରୁ ମାଫିଆଙ୍କ ଘରେ ଚଢ଼ଉ, ଠାବ ହେଲାଣି ୪ କୋଟି ୪୦ ଲକ୍ଷ ଟଙ୍କା

କେନ୍ଦୁଝର: ଅପରେସନ୍ ଗୋରକ୍ଷାରେ ଅଭିଯୁକ୍ତଙ୍କ ଆକାଉଣ୍ଟ ଯାଞ୍ଚ ପ୍ରକ୍ରିୟା ଚାଲିଥିବା ବେଳେ ଆଜି କେନ୍ଦୁଝର ସହରର ଦୁଢ଼ିଆଛକ ଓ ରାଙ୍କି ଗାଁରେ ଗୋରୁ ମାଫିଆଙ୍କ ଘରେ ପୁଲିସ ଚଢ଼ଉ କରିଛି। ଶନିବାର କେନ୍ଦୁଝର ସଦର ଥାନା ଅଧିକାରୀ ଅମିତ ଭୂୟାଁଙ୍କ ନେତୃତ୍ବରେ ଏକ ଟିମ୍‌ ରାଙ୍କିସ୍ଥିତ ତପନ ବାରିକଙ୍କ ଘରେ ଚଢ଼ଉ କରିଥିଲା। ସେତେ‌ବେଳେ ତପନ ଘରେ ନଥିଲେ। ପରିବାର ସଦସ୍ୟଙ୍କ ଉପସ୍ଥିତିରେ ତାଙ୍କ ଘରୁ ଦୁଇ ଲକ୍ଷ ଟଙ୍କା ଜବତ କରାଯାଇଛି। ସେହିପରି ସହରର ଦୁଢ଼ିଆଛକରେ ଥିବା ସେଖ୍‌ ନାସିର ଓ ତପନଙ୍କ ଝରାସାହିସ୍ଥିତ ଘରେ ମଧ୍ୟ ପୁଲିସ ଚଢ଼ଉ କରିଛି। ଆଜି ସୁଦ୍ଧା ଗୋରୁ ମାଫିଆଙ୍କ ୧୨୧ଟି ଆକାଉଣ୍ଟ ଯାଞ୍ଚ କରାଯାଇ ୪ କୋଟି ୪୦ ଲକ୍ଷ ୭୫ ହଜାର ଟଙ୍କା ଠାବ କରାଯାଇଛି। ଏହି ଘଟଣାରେ କେନ୍ଦୁଝର ପୁଲିସ ପୂର୍ବରୁ ୧୦ ଜଣଙ୍କୁ ଗିରଫ କରିସାରିଛି। ରାମଚନ୍ଦ୍ରପୁର ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ, ଆନନ୍ଦପୁର ଥାନା ଅଧିକାରୀ ଫନୀନ୍ଦ୍ର ନାୟକ, ଦୈତାରୀ ଥାନା ଅଧିକାରୀ ହୃଷୀକେଶ ବେହେରା, ତେଲକୋଇ ଥାନା ଅଧିକାରୀ ଅଞ୍ଜନ କୁମାର ପାତ୍ର, ହରିଚନ୍ଦନପୁର ଥାନା ଅଧିକାରୀ ମିତାଲି ମଧୁଲିତା ବିଶ୍ବାଳ, ଘଟଗାଁ ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନାଙ୍କ ନେତୃତ୍ବରେ ଗଠିତ ଟିମ୍‌ ଗୋରୁ ମାଫିଆଙ୍କ ଆ‌ର୍ଥିକ କାରବାରର ଖୋଳତାଡ଼ କରୁଛନ୍ତି।

Related Post