Breaking News
ବିଶେଷ

ବିଏମ୍‌ସି କମିସନର୍‌ଙ୍କ ସହ ଠିକାଦାରଙ୍କ ଆଲୋଚନା: ‘ଟେଣ୍ଡର, ବିଲ୍‌ ପ୍ରକ୍ରିୟାରେ ଅନାବଶ୍ୟକ ବିଳମ୍ବ କରାଯାଉଛି’

ବିଏମ୍‌ସି କମିସନର୍‌ଙ୍କ ସହ ଠିକାଦାରଙ୍କ ଆଲୋଚନା: ‘ଟେଣ୍ଡର, ବିଲ୍‌ ପ୍ରକ୍ରିୟାରେ ଅନାବଶ୍ୟକ ବିଳମ୍ବ କରାଯାଉଛି’

ଭୁବନେଶ୍ବର: ଟେଣ୍ଡର ପ୍ରକ୍ରିୟାରେ ଅନାବଶ୍ୟକ ବିଳମ୍ବ କରାଯାଉଛି। ସମୟରେ ସିକ୍ୟୁରିଟି ଜମା(ଇଏମ୍‌ଡି) ଫେରସ୍ତ କରାଯାଉନି। ବର୍ଷ ବର୍ଷ ଧରି ଏହା ବାକି ପଡ଼ିଛି। ଏଣୁ ଠିକାଦାରମାନେ ସମୟରେ କାମ ସାରି ପାରୁନାହାନ୍ତି। ଏହା ସ୍ମାର୍ଟ ଓ ସ୍ବଚ୍ଛ ଭୁବନେଶ୍ବର ଗଠନରେ ଅନ୍ତରାୟ ସୃଷ୍ଟି କରୁଛି। ବିଏମ୍‌ସି ଠିକାଦାର ସଂଘ ଆଜି ଏଭଳି ଅଭିଯୋଗ ନେଇ ବିଏମ୍‌ସି କମିସନର୍‌ ଚଞ୍ଚଳ ରାଣାଙ୍କ ସହ ଆଲୋଚନା କରିଛି। ସମସ୍ତ ଅଭିଯୋଗ ଶୁଣିବା ପରେ ସମସ୍ୟାର ତୁରନ୍ତ ସମାଧାନ ପାଇଁ କମିସନର୍‌ ପ୍ରତିଶ୍ରୁତି ଦେଇଛନ୍ତି।କମିସନର୍‌ ଶ୍ରୀ ରାଣା ଓ ବିଏମ୍‌ସି ଠିକାଦାର ସଂଘ ଭିତରେ ଆଜି ଏକ ଆଲୋଚନା ବୈଠକ ହୋଇଛି। ବୈଠକରେ ସଂଘ ଅଭିଯୋଗ କରିଥିଲା, ବର୍ତ୍ତମାନ ବିଏମ୍‌ସି ଟେଣ୍ଡର ଆହ୍ୱାନଠାରୁ ଚୂଡ଼ାନ୍ତ ଚୁକ୍ତିନାମା ପର୍ଯ୍ୟନ୍ତ ପ୍ରକ୍ରିୟାରେ ଅହେତୁକ ବିଳମ୍ବ ହେଉଛି। ଏହି ପ୍ରଶାସନିକ ବିଳମ୍ବ ପାଇଁ ପ୍ରକଳ୍ପ କାମ ବାଧାପ୍ରାପ୍ତ ହେଉଛି ଓ ପ୍ରକଳ୍ପର ଖର୍ଚ୍ଚ ବଢ଼ୁଛି। ଏଭଳି ବିଳମ୍ବିତ ପ୍ରକ୍ରିୟା କାରଣରୁ ଜଣେ ଠିକାଦାର ଏକାସାଙ୍ଗରେ ଅନେକ ଟେଣ୍ଡର୍‌ରେ ଭାଗ ନେବାକୁ ବାଧ୍ୟ ହେଉଛନ୍ତି। ଏଣୁ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଟେଣ୍ଡର ପ୍ରକ୍ରିୟା ଶେଷ ପରେ ନିର୍ଦ୍ଧାରିତ ସମୟରେ କାର୍ଯ୍ୟାଦେଶ ଦେବାକୁ ସଂଘ ଦାବି କରିଥିଲା। ସଂଘ କହିଥିଲା, ଆର୍ଥିକ ବିଡ୍ ଖୋଲିବା, ଏଲ୍‌-୧ ଓ ଏଲ୍‌-୨ ସ୍ଥିତି ନିର୍ଦ୍ଧାରଣ ହେବା ମାତ୍ରେ ଅନ୍ୟ ସମସ୍ତ ଅକୃତକାର୍ଯ୍ୟ ବିଡର୍‌ଙ୍କ ସିକ୍ୟୁରିଟି ଜମାର ସ୍ବୟଂଚାଳିତ ଫେରସ୍ତ ବ୍ୟବସ୍ଥା କରାଯାଉ। ଜୋନାଲ୍‌ ଡେପୁଟି କମିସନର୍‌ଙ୍କ ଅଫିସରେ ଜାଣିଶୁଣି ମାସ ମାସ ଧରି ଫାଇଲ୍‌ ପକାଇ ରଖାଯାଉଛି। ବିଲ୍ ଅନୁମୋଦନ ଓ ପ୍ରକଳ୍ପ ସମୟସୀମା ବୃଦ୍ଧି ସମ୍ବନ୍ଧୀୟ ଅନେକ ଫାଇଲ୍ ବିନା କାରଣରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟକି ରହିଛି। କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ି ନିରାଶ ହେଉଛୁ। ଫାଇଲ୍ ପଡ଼ି ରହିବାର ମୁଖ୍ୟ କାରଣ ହେଉଛି ଅଡିଟ୍ ଆବଶ୍ୟକତା ବିଷୟରେ ସ୍ପଷ୍ଟତା ନଥିବା।

Related Post