Breaking News
ବଡ଼ ଖବର

ବୋଲର ଦେଲେ ବଡ଼ ବିଜୟ

ବୋଲର ଦେଲେ ବଡ଼ ବିଜୟ

ଧରମ୍‌ଶାଲା: ଧରମ୍‌ଶାଲାରେ ବୋଲର୍‌ମାନେ ଭାରତକୁ ଧମାକାଦାର ବିଜୟ ଉପହାର ଦେଇଛନ୍ତି। ଶାଣିତ ବୋଲିଂ କରି ସେମାନେ ଦକ୍ଷିଣ ଆଫ୍ରିକାକୁ ମାତ୍ର ୧୧୭ ରନ୍‌ରେ ଅଟକାଇବା ପରେ ଦୁଇ ଯୁବ ଓପନର୍ ଅଭିଷେକ ଶର୍ମା ଓ ଶୁବମନ୍ ଗିଲ୍ ପ୍ରଥମ ୱିକେଟ୍‌ରେ ୬୦ ରନ୍ (୫.୨ ଓଭର) ଯୋଡ଼ି ଭାରତ ବିଜୟକୁ ସହଜ କରିଥିଲେ। ଉଭୟ ଫର୍ମକୁ ଫେରିବାର ସଙ୍କେତ ଦେବା ପରେ ଟିମ୍ ଇଣ୍ଡିଆ ୧୫.୫ ଓଭରରେ ମାତ୍ର ୩ ୱିକେଟ୍ ହରାଇ ୧୧୮ ରନ୍‌ର ଲକ୍ଷ୍ୟ ହାସଲ କରି ନେଇଥିଲା।  ତିଳକ ବର୍ମା ଓ ଶିବ ଦୁବେ ବିଜୟ ମୁଣ୍ଡି ମାରିଥିଲେ ମଧ୍ୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସଂଘର୍ଷ ପୂର୍ବବତ୍ ଜାରି ରହିଥିଲା। ବିଜୟ ସହ ଭାରତ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୨-୧ରେ ଆଗୁଆ ହୋଇଛି। ଲକ୍ଷ୍ନୌରେ ବୁଧବାର ଚତୁର୍ଥ ଟ୍ବେଣ୍ଟି-୨୦ ଖେଳାଯିବ। 
ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିବା ପରଠାରୁ ହିଁ ଭାରତୀୟ ବୋଲର ନିଜ ଯାଦୁ ଦେଖାଇଥିଲେ। ଦୁଇ ଯୁବ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଓ ହର୍ଷିତ ରାଣା ନିଜ ସିମ୍ ଓ ସୁଇଂରେ ପ୍ରତିପକ୍ଷ ବ୍ୟାଟର୍‌ଙ୍କୁ ପୂରା ଘାଇଲା କରିଥିଲେ। ପ୍ରଥମ ସ୍ପେଲ୍‌ରେ ପ୍ରତିପକ୍ଷ ଦଳର ଶୀର୍ଷ ୪ ବ୍ୟାଟର୍‌ଙ୍କୁ ୩୦ ରନ୍ ଭିତରେ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ଫଳରେ ଦକ୍ଷିଣ ଆଫ୍ରିକାର ମେରୁଦଣ୍ଡ ପ୍ରଥମ ୭ ଓଭର ଭିତରେ ହିଁ ଭାଙ୍ଗି ଯାଇଥିଲା। ଐଦେନ ମାର୍କରାମଙ୍କ ଲଢ଼ୁଆ ଅର୍ଦ୍ଧଶତକ ସତ୍ତ୍ବେ ୧୦ ଓଭର ଭିତରେ ଅଧା ଦଳକୁ ହରାଇବାର ଝଟ୍‌କାରୁ ବାହାରିବାର କୌଣସି ସୁଯୋଗ ଦକ୍ଷିଣ ଆଫ୍ରିକା ସୃଷ୍ଟି କରିପାରିନଥିଲା। ଅଲ୍‌ରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟାଙ୍କ ସହ ଦୁଇ ସ୍ପିନର୍‌ ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀପ ଯାଦବ ଚମତ୍କାର ଢଙ୍ଗରେ ଦକ୍ଷିଣ ଆଫ୍ରିକା ବ୍ୟାଟର୍‌ଙ୍କୁ ବାନ୍ଧି ରଖିଥିଲେ। କୁଲଦୀପ ବିଳମ୍ବରେ ଦୁଇଟି ୱିକେଟ୍ କରାୟତ୍ତ କରିଥିଲେ। ପାଣ୍ଡ୍ୟା କିନ୍ତୁ ବିପଜ୍ଜନକ ତ୍ରିଷ୍ଟନ ଷ୍ଟବ୍‌ସଙ୍କୁ ଆଉଟ୍ କରି ଟ୍ବେଣ୍ଟି-୨୦ରେ ୧,୦୦୦ ରନ୍ ଏବଂ ୧୦୦ ୱିକେଟ୍ ନେବାର ମାଇଲ୍‌ଖୁଣ୍ଟ ଛୁଇଁଥିଲେ। ବରୁଣ ବି ଡୋନୋଭାନ ଫେରେରା ଓ ମା‌ର୍କୋ ୟାନ୍‌ସେନଙ୍କୁ ବୋଲ୍‌ଡ କରି ନିଜ ବିସ୍ମୟ ବୋଲର ଉପାଧିର ଯଥାର୍ଥ ସମ୍ମାନ ରଖିଥିଲେ। 

Related Post