Breaking News
ବଡ଼ ଖବର

୪ବର୍ଷ ହେଲା ଶୌଚାଳୟରେ ବିତୁଛି ଜୀବନ

୪ବର୍ଷ ହେଲା ଶୌଚାଳୟରେ ବିତୁଛି ଜୀବନ

ରାଉରକେଲା: ରାଉରକେଲା ମହାନଗର ନିଗମ ପକ୍ଷରୁ ସର୍ବସାଧାରଣ ତଥା ବସ୍ତିବାସିନ୍ଦାଙ୍କ ବ୍ୟବହାର ପାଇଁ ବିଭିନ୍ନ ଛକସ୍ଥାନମାନଙ୍କ‌ରେ ଶୌଚାଳୟ ନିର୍ମାଣ କରାଯାଇଥିଲା। ଏଭଳି ଏକ ଶୌଚାଳୟ ସେକ୍ଟର-୨୦ ନମ୍ବର ପାଣିଟାଙ୍କି ସାମ୍ନା ହିଲଟିପ ନିକଟସ୍ଥ ରିଙ୍ଗରରୋଡ ପାର୍ଶ୍ବରେ ଅର୍ଥାତ୍‌ ହିଲଟପରୁ ଝିରିପାଣି ଯିବାର ରାସ୍ତାର ବାମପାର୍ଶ୍ବରେ ନିର୍ମାଣ ହୋଇଛି। ହେଲେ ୪ ବର୍ଷ ହେବ ଏହି ଶୌଚାଳୟ ଏକ ବୃଦ୍ଧ ଦମ୍ପତିଙ୍କ ଆଶ୍ରୟସ୍ଥଳୀ ପାଲଟିଛି।ଆଲୋଡ଼ନର ବିଷୟ ହେଲା ଯେ, ଗୋଟେପଟେ ପାର୍କ ନିର୍ମାଣ ପାଇଁ ବସ୍ତିରୁ ଉଚ୍ଛେଦ ହୋଇ ଥଇଥାନ ନହୋଇ ଶୌଚାଳୟରେ ବୃଦ୍ଧ ଦମ୍ପତିଙ୍କ ଜୀବନ ବିତୁଥିବାବେଳେ ଅନ୍ୟପଟେ ଏହି ଶୌଚାଳୟ ସର୍ବସାଧାରଣ ତଥା ସ୍ଥାନୀୟ ବାସିନ୍ଦାଙ୍କ କାମରେ ଲାଗିପାରୁନି। ଏହି ଦମ୍ପତି ଆକାଶ ବାଘର ଓ ଜମା ବାଘର ନିଜର ଏଅବସ୍ଥା ବିଷୟରେ କୋହଭରା କଣ୍ଠରେ କହିଛନ୍ତି,  ଆମର ଏ ଅବସ୍ଥା ବୁଝିବାକୁ କେହି ନାହାନ୍ତି।ହିଲ୍‌ଟିପ୍‌ ନିକଟ ବସ୍ତି ଅଞ୍ଚଳରେ ଆମର ଭଙ୍ଗାକୁଡ଼ିଆ ଖଣ୍ଡେ ଥିଲା। ତାହା ବି ଦୀପାବାଳିରେ ଜଳି ଯାଇଥିଲା। କୌଣସି ପ୍ରକାରେ ରହୁଥିଲୁ। କିଛିଦିନ ପରେ ବସ୍ତି ଉଚ୍ଛେଦ ହୋଇଗଲା। ମେଣ୍ଟେନାନ୍ସ ଅଫିସରୁ ଆସିଥିବା ଅଧିକାରୀ କିଛିଦୂରରେ ଆମ ବସ୍ତିବାସିନ୍ଦାଙ୍କୁ ଜଗା ଦେଇ ଘର କରି ରହିବାକୁ କହିଗଲେ। ହେଲେ ଘର କରିବାକୁ ସମ୍ବଳ ଥିଲେ ସିନା । ଅନ୍ୟ ଉପାୟ ନପାଇ ବାଧ୍ୟ ହୋଇ ଏଠି ଆଶ୍ରୟ ନେଇଛୁ। ଏଠି ବି ପାଣି ବିଜଳି ବ୍ୟବସ୍ଥା ନାହିଁ। ବହୁକଷ୍ଟ ଆମର ଜୀବନ ବିତୁଛି। 

Related Post