Breaking News
ବିଶେଷ

ରାଉରକେଲାରେ ରାଜସ୍ଥାନୀ ବାଦାମ, ଶୀତରେ ଜମୁଛି ବେପାର

ରାଉରକେଲାରେ ରାଜସ୍ଥାନୀ ବାଦାମ, ଶୀତରେ ଜମୁଛି ବେପାର

ରାଉରକେଲା: ବୟସ ମାତ୍ର ୧୮ ବର୍ଷ । ଏଇ ବୟସରେ ଯେଉଁ ହାତରେ କଲମ ଧରିବା କଥା ସେଇ ହାତରେ ଲୁହାଖଡ଼ିକା । କିଏ କହିଲା ଲୁହାଖଡ଼ିକା କେବଳ ଯେ ମହିଳାଙ୍କୁ ଶୋଭାଦିଏ ବୋଲି । ପେଟରେ ଦୁଇମୁଠା ଦାନା ଦେବା ପାଇଁ ଗୋଟେ ପୁରୁଷ ବି ପଛାଏ ନାହିଁ ମହିଳାଙ୍କ କାମ କରିବା ଲାଗି । ଆମେ କହୁଛୁ ସେଇମାନଙ୍କ କଥା, ଯେଉଁମାନେ ଉତ୍ତରପ୍ରଦେଶରୁ ଆସି ରାଉରକେଲା ରାସ୍ତା କଡରେ ଖୋଲିଛନ୍ତି ଚିନାବାଦାମର ପସରା। ସକାଳ ୯ଟା ହେଲେ ବାଦାମ ବସ୍ତା, ଦରି, ଦଣ୍ଡି ପାଲା, ଜାଳେଣି କାଠ, କଡ଼େଇ ଆଦି ଧରି ବାହାରି ଆସୁଛନ୍ତି ରାସ୍ତାକଡ଼କୁ । ପୁଣି ରାତି ୯ଟା ହେଲେ ବସ୍ତା ବାନ୍ଧିବୁନ୍ଧି ବାହୁଡୁଛନ୍ତି ଘରକୁ । ସବୁଆଡ଼େ ଏବେ ରାଜସ୍ଥାନୀ ବାଦାମର ଚାହିଦା। ଝିରପାଣି, ବିଶ୍ରା, ବାସନ୍ତିକଲୋନି, ଦୟାନନ୍ଦନଗର ଭଳି ବିଭିନ୍ନ ଛକରେ ପସରା ମେଲାଇ ବସିଛନ୍ତି ଏହି ଚିନାବାଦାମ ବେପାରୀ। ସେମାନେ ଏଠାରେ କଞ୍ଚା ବାଦାମ, ଭଜା ବାଦାମ ବିକ୍ରି କରି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି। ଓଡ଼ିଶା ବଜାରରେ ବାଦାମର ଚାହିଦାକୁ ଆଖି ଆଗରେ ରଖି ଏହି ରାଜ୍ୟ ବାହାରର ବେପାରୀମାନେ ଗତ କିଛି ବର୍ଷ ହେଲା ରାଉରକେଲାକୁ ଆସି ଏହି ବେପାର କରୁଛନ୍ତି। ସବୁଠୁ ଖାସ୍‌ କଥା ହେଉଛି, ଦୋକାନୀ ଯେଉଁଠି ବାଦାମବସ୍ତାର ପସରା ମେଲାଇଛନ୍ତି ସେଇଠି ରଖିଛନ୍ତି ବାଦାମ ଭଜାଶାଳ। ସେଇଠି  ଭାଜି ଗ୍ରାହକଙ୍କୁ ପରଷି ଦେଉଛନ୍ତି ଗରମାଗରମ ବାଦାମ। ରାଉରକେଲାବାସୀ ବି ଏହି ବାଦାମକୁ ବେଶ୍‌ ପସନ୍ଦ କରୁଛନ୍ତି। କିଛି ଗ୍ରାହକ କଞ୍ଚା ବାଦାମ କିଣୁଥିବାବେଳେ କେତେକ ଗ୍ରାହକ ଭଜାବାଦାମ କିଣି ନେଉଛନ୍ତି। ଶୀତ ଅଧିକ ହେଉଥିବାରୁ ବେପାର ମଧ୍ୟ ଭଲ ହେଉଛି। ଗ୍ରାହକ କଞ୍ଚା କମ୍ କିଣୁଥିବାବେଳେ ଭଜାବାଦାମ କିଣିବାକୁ ଅଧିକ ପସନ୍ଦ କରୁଛନ୍ତି। କଞ୍ଚା ବାଦାମ କେଜି ପ୍ରତି ୧୮୦ଟଙ୍କା ଓ ଭଜା ବାଦାମ କେଜି ପ୍ରତି ୨୦୦ ଟଙ୍କାରେ ବିକ୍ରି ହେଉଛି। ଏହାସହ ଖୁଚୁରାରେ ମଧ୍ୟ ୨୦ରୁ ୩୦ ଟଙ୍କାରେ ବିକ୍ରି କରୁଛନ୍ତି। ଖୁଚୁରା ବେପାରରେ ବେଶୀ ଲାଭ ହେଉଛି। 

Related Post