Breaking News
ବଡ଼ ଖବର

ସାଲିଆସାହିରୁ ମୁକୁଳିଲା ୧୨ ଏକର: ଏକାମ୍ରକାନନ-ଆଇଏମ୍‌ଏ ରାସ୍ତା ବାଟ ଫିଟିଲା, ଲକ୍ଷ୍ୟ ଥିଲା ୭ ଦିନ, ୩ ଦିନରେ ସବୁ ଶେଷ

ସାଲିଆସାହିରୁ ମୁକୁଳିଲା ୧୨ ଏକର: ଏକାମ୍ରକାନନ-ଆଇଏମ୍‌ଏ ରାସ୍ତା ବାଟ ଫିଟିଲା, ଲକ୍ଷ୍ୟ ଥିଲା ୭ ଦିନ, ୩ ଦିନରେ ସବୁ ଶେଷ

ଚନ୍ଦ୍ରଶେଖରପୁର: ଲକ୍ଷ୍ୟ ଥିଲା ୭ ଦିନ ଭିତରେ ଏକାମ୍ରକାନନରୁ ଆଇଏମ୍‌ଏ ପର୍ଯ୍ୟନ୍ତ ନିର୍ମାଣଧୀନ ବାମପାର୍ଶ୍ବ ୨୦୦ ଫୁଟିଆ ସମାନ୍ତରାଳ ରାସ୍ତା ନିର୍ମାଣ ପାଇଁ ଜବରଦଖଲ ହଟିବ। ମାତ୍ର ତାହାର ଢେର ଆଗରୁ ମାତ୍ର ୩ ଦିନ ମଧ୍ୟରେ ସାଲିଆସାହିରେ ଜବରଦଖଲ ଉଚ୍ଛେଦ ଶେଷ ହୋଇଛି। ମାଟିରେ ମିଶିଛି ଚିହ୍ନଟ ହୋଇଥିବା ୫୫୬ ଘର। ବସ୍ତିବାସିନ୍ଦାଙ୍କ ସମେତ ଭଡ଼ା ଦିଆଯାଇଥିବା ଘରଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଦିଆଯାଇଛି। କେବଳ ସେତିକି ନୁହେଁ, ପରବର୍ତ୍ତୀ ସମୟରେ ଯେପରି କୌଣସି ପ୍ରକାର ଜବରଦଖଲ ନ ହୁଏ ସେଥିପାଇଁ ସଙ୍ଗେ ସଙ୍ଗେ ରାସ୍ତା ନିର୍ମାଣ କାମ ମଧ୍ୟ ଆରମ୍ଭ ହୋଇଛି। ୬ ପ୍ଲାଟୁନ୍‌ ପୁଲିସ ଫୋର୍ସ ସମେତ ପୂର୍ତ୍ତ ବିଭାଗ, ବିଏମ୍‌ସି, ବିଡିଏ, ସ୍ମାର୍ଟସିଟି, ବିଦ୍ୟୁତ୍‌, ୱାଟ୍‌କୋର କର୍ମଚାରୀମାନେ ଏବେ ବି ଡେରା ପକାଇ ରାସ୍ତା କାମକୁ ତ୍ବରାନ୍ବିତ କରୁଛନ୍ତି। କୌଣସି ପ୍ରକାର ଅଘଟଣ ଏଡ଼ାଇବାକୁ ତମ୍ଭୁ ଟାଣି ଡେରା ପକାଇଛି ପୁଲିସ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଗୋଟିଏ ସମୟରେ ସାଲିଆସାହିରେ ପ୍ରଶାସନ ପଶିବାକୁ ଭୟ କରୁଥିଲା। ଜବରଦଖଲ ହଟାଇବା ଦୂରର କଥା, ସାମାନ୍ୟ ରାସ୍ତା ମରାମତି କରିବା ବେଳେ ବି ବହୁ ବିରୋଧର ସାମ୍ନା କରୁଥିଲେ ସରକାରୀ ଅଧିକାରୀ। ଏଥର କିନ୍ତୁ ସେମିତି କିଛି ଘଟି ନାହିଁ। ପ୍ରଥମ ଦିନରେ ପ୍ରଶାସନ ସାମାନ୍ୟ ବିରୋଧର ସାମ୍ନା କରିଥିଲା। ତେବେ ପ୍ରଶାସନ ସମସ୍ତ କଳବଳ କୌଶଳ ପ୍ରୟୋଗ କରି ସାଲିଆସାହିର ପ୍ରାୟ ୧୨ ଏକର ପରିମିତ ଜମିକୁ ଜବରଦଖଲ ମୁକ୍ତ କରିଛି। ୨୦୦ ଫୁଟିଆ ସମାନ୍ତରାଳ ରାସ୍ତା ନିର୍ମାଣ ହେବାକୁ ଥିବା ଜାଗାକୁ ହିଁ କେବଳ ଜବରଦଖଲ ମୁକ୍ତ କରାଯାଇଛି। ଏହାବାଦ୍‌ ଆଉ କୌଣସି ବି ଘର ଭଙ୍ଗାଯାଇ ନ ଥିବା ବିଡିଏର ଜଣେ ଅଧିକାରୀ କହିଛନ୍ତି।

Related Post