Breaking News
ବଡ଼ ଖବର

ନୂଆପଡ଼ା ଉପନିର୍ବାଚନରେ ରେକର୍ଡ: ୮୧.୯୪% ମତଦାନ

ନୂଆପଡ଼ା ଉପନିର୍ବାଚନରେ ରେକର୍ଡ: ୮୧.୯୪% ମତଦାନ

ନୂଆପଡ଼ା: ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଉପନିର୍ବାଚନରେ ୮୧.୯୪ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍.ଏସ୍‌, ଗୋପାଳନ୍। ଗତକାଲି ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଉପନିର୍ବାଚନରେ ଶାନ୍ତିପୂର୍ଣ୍ଣ ମତଦାନ ଶେଷ ହୋଇଥିଲା। ଏଠାରେ ୭୯.୦୨ ପ୍ରତିଶତ ମତଦାନ ହୋଇଥିବା କୁହାଯାଇଥିଲା। ୨୦୨୪ ସାଧାରଣ ନିର୍ବାଚନ ତୁଳନାରେ ଭୋଟ୍‌ ହାର ବଢ଼ିଛି। ମଙ୍ଗଳବାର ମତଦାନ ଆରମ୍ଭ ପୂର୍ବରୁ ସକାଳ ୭ଟାରୁ କରାଯାଇଥିବା ମକ୍ ପୋଲ୍‌ ସମୟରେ ଯାନ୍ତ୍ରିକ ତ୍ରୁଟି ଜଣାପଡ଼ିଥିଲା। ଫଳରେ ତିନିଟି ବାଲଟ୍ ୟୁନିଟ୍, ତିନିଟି କଣ୍ଟ୍ରୋଲ ୟୁନିଟ୍‌କୁ ତୁରନ୍ତ ବଦଳା ଯାଇଥିଲା। ସେହିପରି ଖରିଆର ରୋଡ୍‌ ଏନ୍‌ଏସି ମଙ୍ଗରାପାଲି ବୁଥ୍‌ ନମ୍ବର ୭୬ରେ ରିପୋର୍ଟ ହୋଇଥିବା ଇଭିଏମ୍‌ ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ କରାଯାଇଥିଲା। ନୂଆପଡ଼ା ଓ କୋମନା ବ୍ଲକ୍‌ର କିଛି ବୁଥ୍‌ରେ ରାତି ୭ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା। ସେହିପରି ସୁନାବେଡ଼ା ଅଭୟାରଣ୍ୟ ସଂଲଗ୍ନ ମାଓପ୍ରବଣ ୮ଟି ବୁଥ୍‌ରେ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା। ପୋଲିଂ ଅଧିକାରୀମାନେ ଇଭିଏମ୍‌ ଧରି ସୁରକ୍ଷିତ ଭାବେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଫେରିଥିଲେ।ନିର୍ବାଚନ ଅଧିକାରୀଙ୍କ ଉପସ୍ଥିତିରେ ପୋଲିଂ ଦଳମା‌ନେ ଇଭିଏମ୍‌ଗୁଡ଼ିକୁ ନୂଆପଡ଼ା ନ୍ୟାସନାଲ୍‌ କଲେଜରେ ହୋଇଥିବା ଷ୍ଟ୍ରଙ୍ଗ୍‌ରୁମ୍‌ରେ ଦାଖଲ କରିଥିଲେ। ଉପନିର୍ବାଚନବେଳେ କୌଣସି ସ୍ଥାନରେ କୌଣସି ହିଂସା ବା ଗଣ୍ଡଗୋଳ ହୋଇନଥିବା ଜଣାଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌.ଏସ୍. ଗୋପାଳନ୍ କହିଥିଲେ, ନୂଆପଡ଼ା ଉପନିର୍ବାଚନ ପାଇଁ ମୋଟ ୩୫୮ଟି ମତଦାନ କେନ୍ଦ୍ର କରାଯାଇଥିଲା। ସେଥିମଧ୍ୟରୁ ୪୭ଟି ବୁଥ୍ ସମ୍ବେଦନଶୀଳ ଓ ୮ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଥିଲା। ନୂଆପଡ଼ାବାସୀ ନିଜ ନେତା ବାଛିବା ପାଇଁ ମତଦାନ କରି ସାରିଛନ୍ତି। ର୍ସ୍ବଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ, କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ସହ ୧୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍‌ରେ ବନ୍ଦ ରହିଛି। ଆସନ୍ତା ୧୪ ତାରିଖରେ ନୂଆପଡ଼ା ନ୍ୟାସନାଲ୍‌ କଲେଜରେ ଭୋଟ ଗଣତି ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

Related Post