Breaking News
ବଡ଼ ଖବର

ରୋକୋ’ ରାଜ: ରୋହିତ ୧୨୧*, କୋହଲି ୭୪*

ରୋକୋ’ ରାଜ: ରୋହିତ ୧୨୧*, କୋହଲି ୭୪*

ସିଡ୍‌ନି: କ୍ରିକେଟ୍ ପଡ଼ିଆକୁ ପୁଣି ଫେରିଛି ‘ରୋକୋ’ଙ୍କ ଯାଦୁ। ଭାରତୀୟ କ୍ରିକେଟ୍‌ର ଏହି ଦୁଇ ମହାନ ତାରକା ରୋହିତ ଶର୍ମା (୧୨୧*, ୧୨୫ ବଲ୍‌) ଏବଂ ବିରାଟ କୋହଲି (୭୪*, ୮୧ ବଲ୍‌)ଙ୍କ ଧମାକାଦାର ବ୍ୟାଟିଂ ବଳରେ ସିଡ୍‌ନି ଦିନିକିଆରେ ଭାରତ ୯ ୱିକେଟ୍‌ରେ ଏକ ପ୍ରଭାବୀ ବିଜୟ ହାସଲ କରିଛି। ସମ୍ମାନର ସହ ଏକଦିବସୀୟ ଶୃଙ୍ଖଳା ଶେଷ କରିଛି। ରୋହିତ ରୋମାଞ୍ଚକ ଢଙ୍ଗରେ ନିଜ ୩୩ତମ ଶତକ ହାସଲ କରିଥିଲା ବେଳେ ଗତ ଦୁଇ ମୁକାବିଲାରେ ଖାତା ଖୋଲି ପାରି ନଥିବା କୋହଲି ଆରମ୍ଭରୁ ଆତ୍ମବିଶ୍ବାସର ସହ ବ୍ୟାଟିଂ କରି ଅପରାଜିତ ଅର୍ଦ୍ଧଶତକ ସହିତ ଦିନିକିଆ କ୍ରିକେଟ୍‌ର ଦ୍ବିତୀୟ ସର୍ବାଧିକ ରନ୍ ସଂଗ୍ରହକାରୀ ହେବାର ଗୌରବ ଅର୍ଜନ କରିଛନ୍ତି। ଏହି ଦୁଇ କିଂବଦନ୍ତି ୧୬୮ ରନ୍‌ର ଅବିଭାଜିତ ଭାଗୀଦାର ଗଢ଼ିବାରୁ ୨୩୭ ରନ୍‌ର ବିଜୟ ଲକ୍ଷ୍ୟକୁ ଟିମ୍ ଇଣ୍ଡିଆ ୧୧.୩ ଓଭର ପୂର୍ବରୁ ମାତ୍ର  ଗୋଟିଏ ୱିକେଟ୍ ବିନିମୟରେ ହାସଲ କରି ନେଇଛି। ୦-୨ରେ ପଛୁଆ ରହିବା ପରେ ମୂଳପୋଛ ପରାଜୟର ଲଜ୍ଜାକୁ ଏଡ଼ାଇଛି। ଏକମାତ୍ର ବ୍ୟାଟର୍‌ ଭାବେ ଅଧିନାୟକ ଶୁବମନ୍ ଗିଲ୍ ୨୪ ରନ୍ କରି ଆଉଟ୍ ‌ହୋଇଥିଲେ। ଗିଲ୍-ରୋହିତ ପ୍ରଥମ ୱିକେଟ୍‌ରେ ୬୯ ରନ୍ ଯୋଡ଼ିଥିଲେ। ଏହା ପରେ ରୋହିତ-କୋହଲି ନିଜ ପୁରୁଣା ଯାଦୁ ଦେଖାଇ ଶତକୀୟ ଭାଗୀଦାର ସହ ବିଜୟ ମୁଣ୍ଡି ମାରିଥିଲେ।  ଅଷ୍ଟ୍ରେଲିଆ ବିପକ୍ଷରେ ନବମ ଶତକ ଅର୍ଜନ ସହ ମୋଟ ଉପରେ ୨୨୪ ରନ୍ କରିଥିବା ରୋହିତ ମ୍ୟାଚ୍ ସହ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ମଧ୍ୟ ବିବେଚିତ ହୋଇଥିଲେ। ଅଷ୍ଟ୍ରେଲିଆରେ ଆପାତତଃ ନିଜ ଶେଷ ଏକଦିବସୀୟ ଶୃଙ୍ଖଳା ଖେଳିଥିବା ରୋହିତ-କୋହଲି ମ୍ୟାଚ୍ ପରେ ସ୍ଥାନୀୟ ସମର୍ଥକଙ୍କୁ ହୃଦୟର ଗଭୀରତମ କୋଣରୁ କୃତଜ୍ଞତା ଜଣାଇଥିଲେ। ସେହିଭଳି ପାରୁ ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍‌କୁ ସେବା ଜାରି ରଖିବାର ପ୍ରତିଶ୍ରୁତି ଦୋହରାଇଥିଲେ।

Related Post