Breaking News
ଧର୍ମ

ଅଶ୍ରୁଳ ନୟନେ: ମା’ଙ୍କୁ ମେଲାଣି, ୪୦ ବର୍ଷ ‌ହେଲା ବାଣ୍ଟି ଆସୁଛି ଭାଇଚାରାର ବାର୍ତ୍ତା

ଅଶ୍ରୁଳ ନୟନେ: ମା’ଙ୍କୁ ମେଲାଣି, ୪୦ ବର୍ଷ ‌ହେଲା ବାଣ୍ଟି ଆସୁଛି ଭାଇଚାରାର ବାର୍ତ୍ତା

ଭୁବନେଶ୍ୱର: ଆରତ ଜନଙ୍କ ଦୁର୍ଗତି ନାଶ କରିବା ପାଇଁ ଧରାବତରଣ କରିଥିବା ଜଗଜ୍ଜନନୀ ମା ଦୁର୍ଗାଙ୍କୁ ଆଜି ଅଶ୍ରୁଳ ନୟନରେ ମେଲାଣି ଦିଆଯାଇଛି। ପୁଣି ଥରେ ଆରବର୍ଷକୁ ଆସି ଆଶୀର୍ବାଦ କରିବାକୁ ଗୁହାରି କରିଛନ୍ତି। ଏଥିପାଇଁ ରାଜଧାନୀର ରାଜରାସ୍ତା ପାଲଟିଛି ଜନସମୁଦ୍ର। ବାଜା, ବାଣ ରୋଶଣିରେ ଫାଟି ପଡ଼ୁଥିଲା ସାରା ରାଜଧାନୀ। ଭସାଣି ଉତ୍ସବ ସମିତି ପକ୍ଷରୁ ଆୟୋଜିତ ସ୍ଥାନରେ ବିଭିନ୍ନ ପୂଜା କମିଟି ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସହ ଏକତ୍ରିତ ହେବା ପରେ ବିସର୍ଜନ ପାଇଁ ଦୟା ଓ କୁଆଖାଇ ନଦୀପଠାରେ ପ୍ରସ୍ତୁତ ଅସ୍ଥାୟୀ ପୁଷ୍କରିଣୀ ନିକଟକୁ ଯାଇଥିଲେ। ଏଣୁ ଆଜି ମଧ୍ୟାହ୍ନରୁ ଗୋଟିଏ ପରେ ଗୋଟିଏ ମୃଣ୍ମୟୀ ମୂର୍ତ୍ତି, ମେଢ଼ ଶୋଭାଯାତ୍ରାରେ ଆସି ସହିଦନଗର, ନୟାପଲ୍ଲୀ, ଚନ୍ଦ୍ରଶେଖରପୁର ଆଦି ସ୍ଥାନରେ ଏକତ୍ର ହୋଇଥିଲେ। ପରେ ମେଲାଣି ପର୍ବ ଆରମ୍ଭ ହୋଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ମେଲାଣି ପର୍ବ ଚାଲିଥିଲା।ବିଦାୟ ପୂର୍ବରୁ ସମବେତ ମୃଣ୍ମୟୀ ମୂର୍ତ୍ତିଙ୍କ ଏହି ଅନନ୍ୟ ପରମ୍ପରାର ବୈଶିଷ୍ଟ୍ୟକୁ ଉପଭୋଗ କରିବାକୁ ସମବେତ ହୋଇଥିଲେ ସହସ୍ରାଧିକ ଭକ୍ତ। ବିଦାୟ ବେଳେ ନାଚଗୀତର ପାରମ୍ପରିକ ତାଳରେ ପାହୁଲ ପକେଇ ନୃତ୍ୟ କରୁଥିଲେ ଭକ୍ତ। ଶାରଦୀୟ ମହାପାର୍ବଣରେ ପରଦା ନଇଁବା ଆଗରୁ ମା’ଙ୍କ ସହ ଆଖିରେ ଆଖିରେ ଚାଲିଥିଲା ଭକ୍ତଙ୍କ ଭାବ ଦିଆନିଆ। ଭକ୍ତମାନେ ମା’ଙ୍କୁ ଦେଖି ମୁଣ୍ଡ ନୁଆଁଇ ପ୍ରଣାମ କରିବା ସହ କାରିଗରୀର ମୂଲ୍ୟାୟନ ବି କରୁଥିଲେ।ଶୁକ୍ରବାର ମଧ୍ୟାହ୍ନରୁ ପୂଜାମଣ୍ଡପରେ ଦେବୀଙ୍କ ବିସର୍ଜନ ନୀତି ପରେ ସାହି ପରିକ୍ରମା କରି ମା’ ଓ ଅନ୍ୟ ମେଢ଼ ଅପରାହ୍ନରେ ମେଳଣରେ ସମବେତ ହୋଇଥିଲେ। ଭିନ୍ନ ଭିନ୍ନ ସ୍ଥାନରେ ୧୭୨ରୁ ଅଧିକ ମେଢ଼ଙ୍କ ସମାଗମ ହୋଇଥିଲା। ଆସିବା ବେଳର ଦୃଶ୍ୟ ଦେଖିବାକୁ ରାସ୍ତାର ଦୁଇ କଡ଼ରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବୀରପ୍ରତିମ ଚାହାଣି ସାଙ୍ଗକୁ କାହାର ଠାଣି କେତେ କାରୁକାର୍ଯ୍ୟପୂର୍ଣ୍ଣ ସେସବୁକୁ ଦେଖି ଚମତ୍କୃତ ହେଉଥିଲେ ଭକ୍ତ। ଭକ୍ତଙ୍କୁ ଆଶୀର୍ବାଦ ଦେଇ ବିସର୍ଜନ ପାଇଁ ମେଲାଣି ନେଇଥିଲେ ମା’ ଦୁର୍ଗତିନାଶିନୀ। ବିସର୍ଜନ ପାଇଁ ଯିବା ବାଟରେ ବି ସମବେତ ଭକ୍ତ ଏହି ଅନନ୍ୟ ଦୃଶ୍ୟକୁ ଉପଭୋଗ କରିବାକୁ ରାସ୍ତାକଡ଼ରେ ଅପେକ୍ଷା କରିଥିଲେ। 

Related Post