Breaking News
ବଡ଼ ଖବର

୮ଜଣଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

୮ଜଣଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

ଭୁବନେଶ୍ବର: ରାଜ୍ୟର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ ଉତ୍ସବ ଶୁକ୍ରବାର ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଶ୍ରେଷ୍ଠ ‌କ୍ରୀଡ଼ାବିତ୍‌ ଭାବେ ଜାତୀୟ ରେକର୍ଡଧାରୀ ଧାବକ ଅନିମେଷ କୁଜୁର, ଶ୍ରେଷ୍ଠ ପାରା କ୍ରୀଡ଼ାବିତ୍ ଭାବେ ହ୍ବିଲ୍‌ଚେୟାର୍ ଫେନ୍‌ସର ରାଖାଲ କୁମାର ସେଠୀ, ଭଲିବଲ୍ ପ୍ରଶିକ୍ଷକ ସୁଷମା ନନ୍ଦ, ଶ୍ରେଷ୍ଠ ଉଦୀୟମାନ ଖେଳାଳି ଭାବେ ଡବଲ୍ ବିଶ୍ବ ପଦକ ବିଜେତା ୯ ବର୍ଷୀୟ ସାତ୍ତ୍ବିକ ସ୍ବାଇଁ, କ୍ରୀଡ଼ା ବିକାଶ ଦିଗରେ ଉଲ୍ଲେଖନୀୟ ଅବଦାନ ଲାଗି ରାଜ୍ୟ ଖୋ ଖୋ ସଂଘ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ଶ୍ରେଷ୍ଠ କ୍ରୀଡ଼ା ସାମ୍ବାଦିକ ଭାବେ ‘ପ୍ରମେୟ’ର କ୍ରୀଡ଼ା ପ୍ରତିନିଧି ବିମଳ କୁମାର ରାଉଳ, ଶ୍ରେଷ୍ଠ କ୍ରୀଡ଼ା ବୈଷୟିକ ଅଧିକାରୀ ତଥା ସପୋର୍ଟ ଷ୍ଟାଫ୍ ଭାବେ ଭାରତୀୟ ତଥା ଓଡ଼ିଶା କ୍ରୀଡ଼ା ପ୍ରତି ଅତୁଳନୀୟ ଅବଦାନ ରଖିଥିବା ସୁଦୀପ ଶତପଥୀ ଏବଂ ଜୀବନବ୍ୟାପୀ ସାଧନା ଲାଗି ଓଡ଼ିଶାର ପ୍ରଥମ ପୁରୁଷ ଅର୍ଜୁନ ପୁରସ୍କାର ବିଜେତା ଭାରୋତ୍ତୋଳକ ବିଜୟ କୁମାର ଶତପଥୀଙ୍କୁ ପୁରସ୍କୃତ କରାଯାଇଛି। ଅସୁସ୍ଥ ବିଜୟ ଶତପଥୀଙ୍କ ଅନୁପସ୍ଥିତିରେ ତାଙ୍କ ପୁତ୍ର ସୋମନାଥ ଶତପଥୀ ଏହି ପୁରସ୍କାର ଗ୍ରହଣ କରିଥ‌ିଲେ। ଆଜୀବନ ସେବା ସମ୍ମାନ ପାଇଁ ୪ ଲକ୍ଷ ଟଙ୍କା, ଶ୍ରେଷ୍ଠ କ୍ରୀଡ଼ାବିତ୍‌ଙ୍କୁ ୩ ଲକ୍ଷ ଏବଂ ଅନ୍ୟ ସମସ୍ତଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅର୍ଥ ରାଶି ସବୁ ତ୍ବରିତ ପ୍ରକ୍ରିୟାରେ ଉତ୍ସବ ନ ସରୁଣୁ ସେମାନଙ୍କ ଆକାଉଣ୍ଟ୍‌ ପ୍ରେରଣ କରାଯାଇଥିଲା। ପୁରସ୍କାର ରାଶି ବ୍ୟତୀତ ମାନପତ୍ର, ଫଳକ ମଧ୍ୟ ପ୍ରଦାନ କରାଯାଇଥିଲା। ଜୀବନ କୁମାର ବେହେରା ଓ ଚିତ୍ତରଂଜନ ପ୍ରଧାନଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା।

Related Post