Breaking News
ବଡ଼ ଖବର

ନାବାଳିକାଙ୍କୁ ବେଶ୍ୟାବୃତ୍ତିରେ ନିୟୋଜିତ କରାଯାଇଥିବା ପୁରୀର ହୋଟେଲକୁ ତିନିବର୍ଷ ପାଇଁ ବନ୍ଦ: ନିର୍ଦ୍ଦେଶ ବିରୋଧରେ ଦାୟର ଆବେଦନକୁ ଖାରଜ କଲେ ହାଇକୋର୍ଟ

ନାବାଳିକାଙ୍କୁ ବେଶ୍ୟାବୃତ୍ତିରେ ନିୟୋଜିତ କରାଯାଇଥିବା ପୁରୀର ହୋଟେଲକୁ ତିନିବର୍ଷ ପାଇଁ ବନ୍ଦ: ନିର୍ଦ୍ଦେଶ ବିରୋଧରେ ଦାୟର ଆବେଦନକୁ ଖାରଜ କଲେ ହାଇକୋର୍ଟ

କଟକ: ପିଲାମାନଙ୍କୁ ପରିତ୍ୟାଗ କରିବା, ଜୀବନର ଭଲ ଭିତ୍ତିରୁ ସେମାନଙ୍କୁ ବଞ୍ଚିତ କରିବା ହେଉଛି ମାନବିକତା ବିରୋଧରେ ଏକ ଅପରାଧ। ଜଣେ ନାବାଳିକାକୁ ବେଶ୍ୟାବୃତ୍ତିରେ ଲିପ୍ତ କରାଯିବା ବାସ୍ତବରେ ଏକ ଉଦବେଗଜନକ ଘଟଣା ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ଅପ୍ରାପ୍ତ ବୟସ୍କଙ୍କୁ ବେଶ୍ୟାବୃତ୍ତିରେ ନିୟୋଜିତ କରାଯାଇଥିବା ହୋଟେଲକୁ ତିନି ବର୍ଷ ପାଇଁ ବନ୍ଦ ପାଇଁ ପୁରୀ ସବ୍-ଡିଭିଜନାଲ ମାଜିଷ୍ଟ୍ରେଟ ପ୍ରଦାନ କରିଥିବା ନିର୍ଦ୍ଦେଶ ବିରୋଧରେ ଦାୟର ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ମାମଲାରେ ମାଜିଷ୍ଟ୍ରେଟ୍ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହିତ ଜବାବ ମାଗିଥିଲେ। ଏହାପରେ ହୋଟେଲକୁ ୩ ବର୍ଷ ଅବଧି ଲାଗି ବନ୍ଦ ପାଇଁ ମାଜିଷ୍ଟ୍ରେଟ୍ ନିର୍ଦ୍ଦେଶ ଦେବା ଇମ୍‌ମୋରାଲ ଟ୍ରାଫିକ (ପ୍ରିଭେନସନ୍) ଆଇନ, ୧୯୫୬ର ଧାରା ୧୮(୧)ର ପରିସୀମା ବାହାରେ କୁହାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ମତ ଦେଇଛନ୍ତି। ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ କୌଣସି ତ୍ରୁଟି ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ପୁରୀ ଏସଡିଏମଙ୍କ ୨୦୨୫, ମାର୍ଚ୍ଚ ୨୭ର ନି‌ର୍ଦ୍ଦେଶ ବିରୋଧରେ ଦାୟର ଏକ ମାମଲାର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ପ୍ରକ‌ାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ଦୁନିଆର ପିଲାମାନେ ନିରୀହ, ଆଘାତପ୍ରବଣ ଓ ନିର୍ଭରଶୀଳ। ସେମାନେ ସମସ୍ତେ ଜିଜ୍ଞାସୁ, ସକ୍ରିୟ ଓ ଆଶାରେ ଭରପୂର। ସେମାନଙ୍କ ଜୀବନ ଆନନ୍ଦ, ଶାନ୍ତି, ଖେଳିବା, ଶିଖିବା ଓ ବଢିବାରେ ଭରପୂର ହେବା କଥା। ସେମାନଙ୍କ ଭବିଷ୍ୟତ ସମଭାବ ଓ ସହଯୋଗରେ ଆକାର ଦିଆଯିବା ଉଚିତ। ପିଲାମାନେ ସେମାନଙ୍କ ଦୃଷ୍ଟିକୋଣ ବ୍ୟାପକ କରିବା ସହିତ ନୂଆ ଅନୁଭବପ୍ରାପ୍ତ କରୁଥିବା ବେଳେ ସେମାନଙ୍କ ପିଲାଦିନ ପରିପକ୍ବ ହେବ। ପିଲାମାନେ କାଲି ପର୍ଯ୍ୟନ୍ତ ଅପେକ୍ଷା କରି ପାରିବେ ନାହିଁ, ସେମାନେ ପ୍ରତିଦିନ ଅଙ୍କୁରିତ ହୁଅନ୍ତି। ପିଲାମାନଙ୍କ ସହିତ ଆଖପାଖର ବାତବରଣ ପ୍ରତି ସେମାନଙ୍କ ସଚେତନତା ଭାବନା ବଢିଥାଏ। ଦେଶର ମହିଳା ଓ ଝିଅମାନଙ୍କୁ ସୁରକ୍ଷା ଦେବା ପାଇଁ ତଥା ପୀଡ଼ିତାଙ୍କୁ ସୁଧାରମୂଳକ ଉପଚ‌ାର ଓ ଥଇଥାନ ପ୍ରଦାନ ପାଇଁ ଆଇନର ବିଭିନ୍ନ ବ୍ୟବସ୍ଥାରେ ଅତୀତରେ ମୌଳିକ ପରିବର୍ତ୍ତନ କରାଯାଇଥିଲା। ଏଭଳି ବିଧି ବ୍ୟବସ୍ଥାର ପ୍ରମୁଖ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ହେଉଛି ବେଆଇନ ମାନବ ଚାଲାଣ ରୋକିବା ସହିତ ଏପରି ପୀଡ଼ିତାଙ୍କୁ ସୁରକ୍ଷାତ୍ମକ ଛତା ପ୍ରଦାନ କରିବା। ଅପରାଧ କରୁଥିବା ବ୍ୟକ୍ତିଙ୍କ ସହିତ ଏପରି ବ୍ୟବହାର କରାଯିବା ଉଚିତ ଯେପରି ସମାଜକୁ ଏକ ଦୃଢ ବାର୍ତ୍ତା ଯିବ ଯେ ମହିଳା ଓ ଶିଶୁଙ୍କ ଶୋଷଣ ହେବେ ନାହିଁ ତଥା ସେମାନଙ୍କୁ ଏକ ସହଜ ବସ୍ତୁ ଭଳି ବ୍ୟବହାର କରାଯିବ ନାହିଁ।

Related Post