Breaking News
ଅପରାଧ

ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରି: ବଦଳିଲେ ଥାନା ଅଧିକାରୀ

ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରି: ବଦଳିଲେ ଥାନା ଅଧିକାରୀ

ବାରଙ୍ଗ: ବାରଙ୍ଗ ବ୍ଲକ୍‌ ଚଣ୍ଡୀପ୍ରସାଦ ଗ୍ରାମର ରାକେଶ ‌ବେହେରାଙ୍କୁ ପୁଲିସର ମାଡ଼ ଘଟଣାରେ ବଦଳିଛନ୍ତି ବାରଙ୍ଗ ଥାନାଧିକାରୀ ନିରଞ୍ଜନ ବେହେରା। ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଶ୍ରୀ ବେହେରାଙ୍କୁ ପୁଲିସ କମିସନରଙ୍କ କାର୍ଯ୍ୟାଳୟକୁ ବଦଳି କରାଯାଇଛି। ବାରଙ୍ଗ ଥାନା ଅଧିକାରୀ ଭାବେ କଟକ ପୁରୀଘାଟ ଥାନା ଅଧିକାରୀ ବିଶ୍ୱରଞ୍ଜନ ନାୟକଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଶ୍ରୀ ନାୟକ ପୂର୍ବରୁ ବାରଙ୍ଗ ଥାନାର ଅଧିକାରୀ ଥିଲେ। ଅନ୍ୟପଟେ ରାକେଶଙ୍କୁ ମାଡ଼ ଘଟଣାରେ ଗ୍ରାମବାସୀଙ୍କ ମଧ୍ୟରେ ପୁଲିସ ବିରୋଧରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସର୍ବସାଧାରଣରେ ଭାବମୂର୍ତ୍ତି ରକ୍ଷା ପାଇଁ ପୁଲିସ ପ୍ରଥମ ପଦକ୍ଷେପ ଭାବେ ଆଇଆଇସିଙ୍କୁ ବଦଳି କରିବା ସହ ତଦନ୍ତକୁ ଜୋର୍‌ଦାର କରିଛି। ତେବେ ରାକେଶଙ୍କୁ ମାଡ଼ ଘଟଣାରେ ଅନେକ ରହସ୍ୟ ଉପରୁ ଏଯାଏଁ ପରଦା ଉଠି ପାରିନାହିଁ। ରାକେଶଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯିବାକୁ ଏକ ସପ୍ତାହ ବିତିଯାଇଛି। ଗଲା ୨୪ ତାରିଖରେ ରାକେଶଙ୍କୁ ପୁଲିସ ପଚରାଉଚରା କରି ତାଙ୍କ ଘରେ ଛାଡ଼ିଥିବା କହୁଛି। ୨୫ ତାରିଖ ସନ୍ଧ୍ୟାରେ ରାକେଶ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଶୁଣି ପରିବାର ସହ ଚଣ୍ଡୀପ୍ରସାଦ ଗ୍ରାମବାସୀ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ୨୬ ତାରିଖରେ ସମାନ ଅଭିଯୋଗ ଆଣି ଲୋକେ ବିକ୍ଷୋଭ ପ୍ରଦର୍ଶନ କରିବାରୁ ଡିସିପି ପହଞ୍ଚି ସେମାନଙ୍କ ସହ ଆଲୋଚନା କରିଥିଲେ। ରାକେଶଙ୍କ ଚିକିତ୍ସା ଦାୟିତ୍ୱ ପୁଲିସ ବହନ କରିବା ସହ ତଦନ୍ତ କରି ଦୋଷୀ ବିରୋଧରେ କର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେବାରୁ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ୨୯ ତାରିଖରେ କୌଣସି ସୂତ୍ରରୁ ଗ୍ରାମବାସୀଙ୍କୁ ରାକେଶଙ୍କ ମୃତ୍ୟୁ ସମ୍ପର୍କିତ ମିଛ ଖବର ମିଳିଥିଲା।

Related Post